ଆମେରିକାରେ ଚାକିରି ଓ ଏଚ୍-୧ବି ଭିସା ବୈଧତା ବଜାୟ ରଖିବା ପାଇଁ ନିଜ ନିଯୁକ୍ତିଦାତାଙ୍କ ଦ୍ୱାରା ୧ଲକ୍ଷ ଡଲାରର ମୋଟା ଅଙ୍କର ଦେୟ ଦେବାକୁ ଜବରଦସ୍ତ ବାଧ୍ୟ କରାଯାଉଥିବା ନେଇ ଋଷିକେଶ ରାଜ ନାମକ ଜଣେ ଭାରତୀୟ କର୍ମଚାରୀ ଭାରତୀୟ-ଆମେରିକୀୟ ବ୍ୟବସାୟୀ ସାଇ ଜିତେନ୍ଦ୍ର କାଲାଗ୍ରା ଓ ତାଙ୍କ ଟେକ୍ସାସସ୍ଥିତ କମ୍ପାନୀ ଅଧିକାରୀଙ୍କ ବିରୋଧରେ ଆମେରିକାର ଫେଡେରାଲ୍ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ‘ବାନିଆସ୍ ଲ’ ଇମିଗ୍ରେସନ୍ ଫାର୍ମ ଜରିଆରେ ଦାୟର ହୋଇଥିବା ଏହି ମାମଲାରେ ଅଭିଯୋଗ ହୋଇଛି ଯେ, ୨୦୨୩ରେ ଆମେରିକାରେ ମାଷ୍ଟର ଡିଗ୍ରୀ ସରିବା ପରେ ଏହି କମ୍ପାନୀ ତାଙ୍କୁ ଏଚ୍-୧ବି ଭିସା ସ୍ପନସରଶିପ୍ ଦେଇଥିଲା, ମାତ୍ର ଯୋଗଦେବା ପରେ କୌଣସି ପ୍ରକଳ୍ପ ନଦେଇ ଭିସା ଓ ଗ୍ରୀନ୍ କାର୍ଡ ପ୍ରକ୍ରିୟାର ସୁଯୋଗ ନେଇ କମ୍ପାନୀ ତାଙ୍କ ଉପରେ ପ୍ରବଳ ଆର୍ଥିକ ଚାପ ପକାଇବା ଆରମ୍ଭ କରିଥିଲା। ଟଙ୍କା ଦେବାକୁ ମନା କରିବାରୁ କମ୍ପାନୀ ତାଙ୍କର ପେସ୍ଲିପ୍ ଓ ପେରୋଲ୍ ରେକର୍ଡ ଅଟକାଇ ରଖିବା ସହ ଆମେରିକୀୟ ଇମିଗ୍ରେସନ୍ ଏଜେନ୍ସି ‘ଆଇସିଇ’ କୁ ରିପୋର୍ଟ କରି ଦେଶରୁ ବାହାର କରିଦେବାକୁ ଧମକ ଦେଇଥିଲା, ଯାହା ଭୟରେ ପୀଡ଼ିତ ଶେଷରେ ୮,୮୦୦ଡଲାର ନଗଦ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ।
ଏହି ମାମଲାରେ ଲ’ ଫାର୍ମ ପକ୍ଷରୁ କମ୍ପାନୀ ଉପରେ ଶ୍ରମିକ ଚାଲାଣ, ବଳପୂର୍ବକ ଶ୍ରମ ଓ ଦଲିଲଭୁକ୍ତ ବଳପ୍ରୟୋଗର ଗମ୍ଭୀର ଅଭିଯୋଗ ଅଣାଯିବା ସହ ମିସାଲାଙ୍କ ବାକି ମଜୁରୀ ଓ ବାଧ୍ୟତାମୂଳକ ଦେୟ ବାବଦକୁ ଅତିକମରେ ୯୭,୨୪୮.୯୪ ଡଲାରର କ୍ଷତିପୂରଣ ଦାବି କରାଯାଇଛି। ତେବେ ଏହି ଅଭିଯୋଗଗୁଡ଼ିକ ଏପର୍ଯ୍ୟନ୍ତ କୋର୍ଟରେ ପ୍ରମାଣିତ ହୋଇନାହିଁ ଏବଂ ସାଇ ଜିତେନ୍ଦ୍ର କିମ୍ବା ତାଙ୍କ କମ୍ପାନୀ ଏନେଇ କୌଣସି ଆଧିକାରିକ ମନ୍ତବ୍ୟ ଦେଇନାହାନ୍ତି। ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକାରେ ଏଚ୍-୧ବି ଭିସା ଶୋଷଣକୁ ନେଇ ବିତର୍କ ତୀବ୍ର ହେବାରେ ଲାଗିଛି, କାରଣ ୨୦୨୪ ତଥ୍ୟ ଅନୁଯାୟୀ ସମଗ୍ର ଆମେରିକାରେ ଜାରି ହୋଇଥିବା ଏଚ୍-୧ବି ଆବେଦନର ୭୧ ପ୍ରତିଶତ କେବଳ ଭାରତୀୟ ନାଗରିକ ଅଟନ୍ତି।
