ଖେଳ ପଡ଼ିଆରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସବୁଠି ନିଜର ଦାଦାଗିରି ଦେଖାଇଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା BCCIର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବେ ବେଶ୍ ଚର୍ଚ୍ଚାରେ । କିନ୍ତୁ ଏଥର ଚର୍ଚ୍ଚା କୌଣସି ମ୍ୟାଚ୍କୁ ନେଇ ନୁହେଁ ବରଂ ଏକ FIRକୁ ନେଇ । ସୋସିଆଲ ମିଡିଆରେ ନିଜର ଭାବମୂର୍ତ୍ତି କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ ଆଣି ଗାଙ୍ଗୁଲି ଏକ ମାମଲା ରୁଜୁ କରିଛନ୍ତି । ମାମଲାଟି ଏତେ ଗମ୍ଭୀର ଯେ ସେ ନିଜେ ଠାକୁରପୁକୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସୌରଭ ଗାଙ୍ଗୁଲିଙ୍କ ଅଭିଯୋଗ ଅନୁଯାୟୀ, ଏକ ଫେସବୁକ୍ ପେଜ୍ରେ ତାଙ୍କ ବିରୁଦ୍ଧରେ କ୍ରମାଗତ ଭାବରେ ବିଭ୍ରାନ୍ତିକର ଏବଂ ଅପମାନଜନକ ପୋଷ୍ଟ କରାଯାଉଛି। ସେ ପୁଲିସକୁ ଜଣାଇଛନ୍ତି ଯେ, ସୌରଭ ଗାଙ୍ଗୁଲି ଫ୍ୟାନ୍ସ ନାମକ ଏକ ଫେସବୁକ୍ ପେଜ୍ ରହିଛି ଯାହାର ୩୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏହାକୁ ତାଙ୍କର ଅଫିସିଆଲ୍ ଫ୍ୟାନ୍ ପେଜ୍ ବୋଲି ଦାବି କରାଯାଇ ଲୋକଙ୍କ ମଧ୍ୟରେ ତାଙ୍କ ପ୍ରତି ନକାରାତ୍ମକ ଚିତ୍ର ସୃଷ୍ଟି କରାଯାଉଛି । ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ଓ ବ୍ୟାବସାୟିକ ଭାବମୂର୍ତ୍ତି ଖରାପ ହେଉଛି। ସେ ଏହି ପେଜ୍ର ସ୍କ୍ରିନସଟ୍ ସହ ଏକ ସ୍ପୋର୍ଟସ୍ ୱେବସାଇଟ୍ ବିରୁଦ୍ଧରେ ମଧ୍ୟ ପ୍ରମାଣ ଦେଇଛନ୍ତି ଯିଏ ତାଙ୍କ ବିଷୟରେ ଆପତ୍ତିଜନକ କଥା ଲେଖିଛି। ତେବେ ଥାନାରେ ଗାଙ୍ଗୁଲି ସ୍ପଷ୍ଟ ଭାବେ କହିଛନ୍ତି, “ମୁଁ ଜଣେ ପବ୍ଲିକ୍ ଫିଗର, ତେଣୁ ଲୋକଙ୍କ ମତାମତ ଓ ଆଲୋଚନା ମୋ ଜୀବନର ଏକ ଅଂଶ। ମୁଁ ଆଲୋଚନା ସହ୍ୟ କରିପାରେ କିନ୍ତୁ ଯଦି କେହି ମୋର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ମିଥ୍ୟା ଓ ଅପମାନଜନକ ବିଷୟବସ୍ତୁ ପ୍ରସାର ଅପଚେଷ୍ଟା କରିବ ତେବେ ତାହାକୁ ମୁଁ କଦାପି ବରଦାସ୍ତ କରିବି ନାହିଁ।” ରିପୋର୍ଟ ଅନୁସାରେ, ଏହି ସାରା ବିବାଦ ପଛରେ ଏକ ରାଜନୈତିକ ଚର୍ଚ୍ଚା ମଧ୍ୟ ରହିଛି । ଗଣମାଧ୍ୟମରେ ଦାବି କରାଯାଉଥିଲା ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୌରଭ ଗାଙ୍ଗୁଲିଙ୍କ ଜରିଆରେ ସାଂସଦ ୟୁସୁଫ୍ ପଠାନଙ୍କୁ ବହରମପୁର ଲୋକସଭା ଆସନରୁ ଇସ୍ତଫା ଦେବାକୁ ବାର୍ତ୍ତା ପଠାଇଛନ୍ତି କାରଣ ମମତା ନିଜେ ସେଠାରୁ ଉପନିର୍ବାଚନ ଲଢ଼ିବାକୁ ଚାହୁଛନ୍ତି। ତେବେ ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ‘ଦାଦା’। ସେ ସ୍ପଷ୍ଟ କରିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ କେବେ ଏମିତି କିଛି କହିନାହାନ୍ତି କିମ୍ବା ସେ ନିଜେ ୟୁସୁଫ୍ ପଠାନଙ୍କ ସହ କୌଣସି ଯୋଗାଯୋଗ କରିନାହାନ୍ତି । ଅନ୍ୟପଟେ ପୂର୍ବ କ୍ରିକେଟର ତଥା ନେତା ୟୁସୁଫ୍ ପଠାନ ମଧ୍ୟ ଏହି ଖବରକୁ ସମ୍ପୂର୍ଣ୍ଣ ଫେକ୍ ବୋଲି ଦର୍ଶାଇଛନ୍ତି । ପୁଲିସ ବର୍ତ୍ତମାନ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଜାରି ରଖିଛି ।
