ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ପୁଣି ଥରେ ଭୟଙ୍କର ଯୁଦ୍ଧ ସ୍ଥିତି ଦେଖାଯାଇଛି। ସୋମବାର ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ମଧ୍ୟପ୍ରାଚ୍ୟରେ ସ୍ଥିତି ବିଗୁଡ଼ି ଥିବାରୁ ସୋମବାର ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀ ପରାମର୍ଶ ଜାରି କରି ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ଏଡାଇବାକୁ ଓ ଦେଶରେ ପୂର୍ବରୁ ଥିବା ଲୋକମାନଙ୍କୁ ଉପଲବ୍ଧ ପରିବହନ ବିକଳ୍ପ ମାଧ୍ୟମରେ ଶୀଘ୍ର ସେଠାରୁ ଚାଲିଆସିବାକୁ କହିଛି। ପଶ୍ଚିମ ଏସିଆରେ ଦ୍ରୁତ ଗତିରେ ବିଗୁଡ଼ୁଥିବା ସୁରକ୍ଷା ପରିସ୍ଥିତି ଓ ଗତ ୨୪ ଘଣ୍ଟା ମଧ୍ୟରେ ଦେଖାଦେଇଥିବା ସ୍ଥିତି ପରେ ଭାରତ ପକ୍ଷରୁ ନାଗରିକଙ୍କୁ ଏହି ପରାମର୍ଶ ଜାରି କରାଯାଇଛି। ଯୁଦ୍ଧବିରତି ସତ୍ତ୍ବେ ଗତ କିଛି ଦିନ ହେଲା କ୍ଷେପଣାସ୍ତ୍ର ବିନିମୟ, ରଣନୈତିକ ଲକ୍ଷ୍ୟସ୍ଥଳ ଉପରେ ବିମାନ ଆକ୍ରମଣ ଓ ଇସ୍ରାଏଲ ଓ ଇରାନ ପରସ୍ପର ଉପରେ ଆକ୍ରମଣ ଯୋଗୁ ଇରାନ ସ୍ଥିତ ଭାରତୀୟ ଦୂତାବାସ ସମସ୍ତ ଭାରତୀୟଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଯେଉଁ ଭାରତୀୟ ନାଗରିକ ଇରାନରେ ଅଛନ୍ତି ସେମାନଙ୍କୁ କୌଣସି ପ୍ରକାର ତୁରନ୍ତ ସେଠାରୁ ଚାଲି ଆସିବାକୁ କୁହାଯାଇଛି। ଫେବ୍ରୁଆରି ୨୮ରେ ଇରାନ-ଆମେରିକା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ପକ୍ଷରୁ ଏହାର ନାଗରିକଙ୍କ ପାଇଁ ଅନେକ ଥର ପରାମର୍ଶ ଜାରି କରାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ସମୟରେ ରବିବାର ରାତିରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ଜବାବରେ ଏହି ଆକ୍ରମଣ କରାଯାଇଥିବା ବୋଲି ଇରାନ କହିଛି।
