ସିବିଏସ୍ଇ ଅନ ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ବିବାଦକୁ ନେଇ କେନ୍ଦ୍ରର ମୋଦୀ ସରକାର ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର କଂଗ୍ରେସ ପାର୍ଟି ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅପାରଗତାର ପ୍ରତୀକ ବୋଲି କହି, ତୁରନ୍ତ ପଦ ଛାଡି ‘ରାଜଧର୍ମ’ ପାଳନ କରିବା ଉଚିତ ବୋଲି କହିଛି। ଅନ୍ଲାଇନ୍ ଯୁବ ସଂଗଠନ କକ୍ରୋଚ୍ ଜନତା ପାର୍ଟି (ସିଜେପି) ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜୁନ୍ ୬ରୁ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସର ଏହି ବୟାନ ଆସିଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ଦାବି ଦୋହରାଇବା ସହିତ ସିବିଏସ୍ଇ ବିବାଦକୁ ଭାରତର ଶିକ୍ଷା ଇତିହାସର ସବୁଠାରୁ ବଡ଼ ପ୍ରତିଷ୍ଠାନଗତ ବିଫଳତା ବୋଲି କହିଛି। କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ରେ ଏକ ଗଣମାଧ୍ୟମ ରିପୋର୍ଟ ସେୟାର୍ କରି କହିଛନ୍ତି ଯେ, ସପ୍ତାହେ ଧରି ଏହାର ଅନ୍ ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍) ସିଷ୍ଟମ୍ରେ ସାଇବର ସୁରକ୍ଷା ଦୁର୍ବଳତାକୁ ଅସ୍ୱୀକାର କରିବା ପରେ, ଶେଷରେ ସିବିଏସ୍ଇ ସ୍ୱୀକାର କରିଛି ଯେ ସିଷ୍ଟମ୍ ବିପଦରେ ରହିଛି। ଓଏସ୍ଏମ୍ ବ୍ୟବସ୍ଥା ପାଇଁ ଠିକା ନେଇଥିବା କମ୍ପାନି ‘କୋଏମ୍ପ୍ଟ’ ବିରୋଧରେ ସିବିଏସ୍ଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି ବୋଲି ରମେଶ ପ୍ରଶ୍ନ କରିଛନ୍ତି।
