ବ୍ରହ୍ମଗିରି: ବିରଳ ଅଲିଭ୍ ରିଡ୍ଲେ ଅଣ୍ଡା ସଂଗ୍ରହ କରିବା, ସଫଳତାର ସହକାରେ ଅଣ୍ଡାରୁ ଛୁଆ ଫୁଟିବାରେ ବ୍ୟବସ୍ଥା କରିବା ଓ ଛୁଆଙ୍କୁ ସମୁଦ୍ରରେ ଛାଡ଼ିବା ପ୍ରକ୍ରିୟାରେ ବ୍ରହ୍ମଗିରି ବନାଞ୍ଚଳ ପୂର୍ବବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି। ୬୪୬ଟି ହେଚେରିରୁ ୬୬ ହଜାର ୪୫୧ଟି ଛୁଆ ସମୁଦ୍ରକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୂଚନାନୁସାରେ, ବ୍ରହ୍ମଗିରି ବନାଞ୍ଚଳରେ ବାଲିହରଚଣ୍ତି ବିଟ୍ରେ ମୋଟ ୨୧୬ଟି ବସାରୁ ୨୫ ହଜାର ୩୦୩ଟି କଇଁଚ୍ଛ ଅଣ୍ତା ସଂଗ୍ରହ କରାଯାଇ ଅସ୍ଥାୟି ହାଚେରିରେ ରଖାଯାଇଥିଲା। ସେଥିମଧ୍ୟରୁ ୨୨ ହଜାର ୨୯୭ଟି ଛୁଆ ଫୁଟି ସମୂଦ୍ରକୁ ଯାଇଛନ୍ତି। ୩୦୦୬ଟି ଅଣ୍ତା ବିଭିନ୍ନ ପ୍ରାକୃତିକ କାରଣରୁ ନଷ୍ଟ ହୋଇଛି। ସେହିଭଳି ଚାପମାଣିକ ବିଟ୍ରେ ୪୩୦ଟି ବସାରୁ ୪୯ ହଜାର ୬୧୭ଟି ଅଣ୍ତା ସଂଗ୍ରହ ହୋଇଥିବା ବେଳେ ୪୪ ହଜାର ୧୫୪ଟି କଇଁଚ୍ଛ ଛୁଆ ସମୂଦ୍ରକୁ ଛଡ଼ା ଯାଇଛି। ବାକି ୫୪୬୩ଟି ଅଣ୍ତା ନଷ୍ଟ ହୋଇଛି। ଦୁଇଟି ବିଟ୍ରେ ମୋଟ ୬୪୬ଟି ବସାରୁ ୭୪ ହଜାର ୯୨୦ଟି କଇଁଚ୍ଛ ଅଣ୍ତା ସଂଗ୍ରହ ହୋଇଥିବା ବେଳେ ୬୬ ହଜାର ୪୫୧ଟି ଛୁଆ ସମୂଦ୍ରକୁ ଯାଇଛି ଏବଂ ୮୪୬୯ଟି ଅଣ୍ତା ନଷ୍ଟ ହୋଇଛି। ଏହି ସଂଖ୍ୟା ବ୍ରହ୍ମଗିରି ବନାଞ୍ଚଳରେ ସର୍ବକାଳୀନ ରେକର୍ଡ ହୋଇଛି। ପୁରୀ ମଙ୍ଗଳା ନଈ ମୁହାଣ ଠାରୁ ବାଲିହରଚଣ୍ତି ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୨୬ କିଲୋମିଟର ସମୂଦ୍ର ଉପକୂଳରେ ବନ ବିଭାଗ ୨୦୨୫ ନଭେମ୍ବର ମାସ ଠାରୁ ୨୦୨୬ ମଇ ମାସ ୧୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ସାଢେ ୬ମାସ ହେବ ନିରନ୍ତର ୨୪ ଘଣ୍ଟିଆ ପହରା ଦେଇ ଆସୁଥିଲା। ଦୁଇଟି ବିଟ୍ରେ ଅଲିଭ ରିଡେଲ କଇଁଚ୍ଛ ଚଳିତ ବର୍ଷ ସୁରକ୍ଷିତ ଭାବରେ ଆସି ଅଣ୍ତା ଦେଇ ପୁଣି ସମୂଦ୍ରକୁ ଯାଇଥିଲେ। ବନ ବିଭାଗ ଅଣ୍ତା ଗୁଡିକୁ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ରଖି ଛୁଆ ଫୁଟିବା ପରେ ସମୂଦ୍ରକୁ ଛାଡ଼ିଛି। ସୋମବାର ଦୁଇଟି ବିଟ୍ରେ ଥିବା ଅସ୍ଥାୟୀ ହାଚେରିରୁ ସମସ୍ତ ଅଣ୍ତା ଫୁଟି ଛୁଆ ସମୂଦ୍ରକୁ ଯାଇଛନ୍ତି। ଚଳିତ ବର୍ଷର କଇଁଚ୍ଛ କ୍ୟାମ୍ପ ବନ୍ଦ ହୋଇଛି। ବନ ବିଭାଗ ସାଢେ ୬ ମାସ ଧରି ଉପକୂଳରେ କଡା ପହରା ଦେବା ସହିତ ବେଆଇନ ଟ୍ରଲର ଉପରେ କଠୋର ନିୟନ୍ତ୍ରଣ କରାଯାଇଥିଲା ବୋଲି ବ୍ରହ୍ମଗିରି ବନାଞ୍ଚଳ ଅଧିକାରି ଚନ୍ଦ୍ରଶେଖର ସାହୁ କହିଛନ୍ତି। ଗତ କିଛି ବର୍ଷ ହେଲା ବ୍ରହ୍ମଗିରି ରେଞ୍ଜ ଅଲିଭ ରିଡ୍ଲେ କଇଁଚ୍ଛଙ୍କ ପାଇଁ ଭୂସ୍ବର୍ଗ ହୋଇଛି। ସୁରକ୍ଷିତ ଅବସ୍ଥାରେ ଉପକୂଳକୁ ଉଠି ଅଣ୍ତା ଦେଉଥିବାରୁ ପରିବେଶବିତ୍ ଖୁସି ପ୍ରକଟ କରିଛନ୍ତି।
