ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଛି। କ୍ରମାଗତଭାବେ ଗତ ୮ ଦିନ ହେଲା ଟଙ୍କା ନିମ୍ନଗାମୀ ହେଉଛି। ମଙ୍ଗଳବାର କାରବାର ମଝିରେ ଏହା ରେକର୍ଡ ୯୬ ଟଙ୍କା ୬୦ ପଇସା ସ୍ତରକୁ ଖସିଥିଲା। କାରବାର ଶେଷବେଳକୁ ଏଥିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ରେକର୍ଡ ୯୬ ଟଙ୍କା ୫୩ ପଇସାରେ ବନ୍ଦ ହୋଇଛି। ସୋମବାର ଏହା ୯୬ ଟଙ୍କା ୩୪ ପଇସାରେ ବନ୍ଦ ହୋଇଥିଲା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାଦିନଠାରୁ ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ପାଖାପାଖି ୬ ପ୍ରତିଶତ ଖସିଗଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରବୃଦ୍ଧି, ଇରାନ-ଆମେରିକାର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ କେବେ ପଡ଼ିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଏଥିସହିତ ଭାରତୀୟ ଅର୍ଥନୀତି ଉପରେ ରହିଥିବା ଅନ୍ୟାନ୍ୟ ଚାପର ପ୍ରଭାବ ପାଇଁ ଟଙ୍କା ମୂଲ୍ୟ ଦୁର୍ବଳ ହେଉଛି। ଗତ ଶୁକ୍ରବାର ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୬ ଅତିକ୍ରମ କରିଥିଲା।
