ନୂଆଦିଲ୍ଲୀ : ୨୦୨୬ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ପୂରା ଦେଶର ନଜର ଏବେ ଏଗଜିଟ୍ ପୋଲ୍ ଉପରେ ରହିଥିଲା । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଏବଂ ପୁଡୁଚେରୀର ଭୋଟରମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିସାରିଛନ୍ତି । ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ମତଦାନ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ନିଜର ଆକଳନ ଜାରି କରିଛନ୍ତି । ଏହି ପୂର୍ବାନୁମାନ ଅନୁଯାୟୀ, କେଉଁଠି ପୁରୁଣା ସରକାରଙ୍କ ପ୍ରତ୍ୟାବର୍ତ୍ତନ ହେଉଛି ତ କେଉଁଠି କଡ଼ା ଟକ୍କର ଦେଖିବାକୁ ମିଳୁଛି । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ ଏବଂ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା । ପଶ୍ଚିମବଙ୍ଗରେ ଆଜି ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଶେଷ ହେଲା ପରେ ଏକ୍ଜିଟ୍ ପୋଲ୍ ଆସିଛି । ବିଭିନ୍ନ ସଂସ୍ଥା ଦ୍ୱାରା ସର୍ଭେ କରାଯାଇଥିବା ରିପୋର୍ଟ ଅନୁସାରେ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବେ ତାହାର ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀରେ ବିଜେପି ସରକାର ଗଠନ କରିବ ବୋଲି କୁହାଯାଇଥିବା ବେଳେ ତାମିଲନାଡୁରେ ଡିଏମ୍କେ ଓ କେରଳରେ ଏଲ୍ଡିଏଫ୍ ଓ ୟୁଡିଏଫ୍ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଇଛି । ଆସାମରେ ବିଜେପି ନେତୃତ୍ୱ ଏନ୍ଡିଏ ସରକାର ଆସିପାରେ । ‘ଆକ୍ସିସ ମାଇ ଇଣ୍ଡିଆ’ର ସର୍ଭେ ରିପୋର୍ଟ ଅନୁସାରେ ୧୨୬ ବିଧାନସଭା ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ଏନ୍ଡିଏକୁ ୮୮ରୁ ୧୦୦ ଆସନ ମିଳିପାରେ । ଏଠାରେ କଂଗ୍ରେସକୁ ୨୮ରୁ ୩୬ଟି ଆସନ ମିଳିପାରେ । ଅନ୍ୟ ଦଳ ମାତ୍ର ୩ଟି ଆସନ ହାତେଇ ପାରନ୍ତି । ପଶ୍ଚିମବଙ୍ଗରେ ୨୯୪ଟି ଆସନ ପାଇଁ ମତଦାନ ହୋଇଛି । ଏଠାରେ ବିଜେପିକୁ ୧୫୦ରୁ ୧୬୦ ଆସନ ମିଳିପାରେ । ଶାସକ ତୃଣମୂଳ କଂଗ୍ରେସକୁ ୧୩୦ରୁ ୧୪୦ ଆସନ ମିଳିପାରେ । ଚାଣକ୍ୟ ଦ୍ୱାରା ଏଭଳି ସର୍ଭେ ଆକଳନ କରାଯାଇଛି । ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୧୪୬ରୁ ୧୬୧ ଆସନ ଦେଇଥିବା ବେଳେ ତୃଣମୂଳ କଂଗ୍ରେସକୁ ୧୨୫ରୁ ୧୪୦ ଆସନ ମିଳୁଛି । ପୁଲ ଡାଏରି ସର୍ଭେ ରିପୋର୍ଟ ଅନୁସାରେ ଟିଏମ୍ସିକୁ ପଶ୍ଚିମବଙ୍ଗରେ ୯୯ରୁ ୧୨୭ ଆସନ ମିଳିବ । କିନ୍ତୁ ବିଜେପିକୁ ୧୪୨ରୁ ୧୭୧ ଆସନ ମିଳିବ । ଅନ୍ୟ ଦଳକୁ ୫ରୁ ୯ଟି ଆସନ ମିଳିପାରେ । ଏତଦ୍ବ୍ୟତୀତ ଅନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଆସିବ ବୋଲି ଆକଳନ କରିଛନ୍ତି । ମୋର୍ଟିଜ୍ ସର୍ଭେ ରିପୋର୍ଟ ଅନୁସାରେ ୨୩୪ ବିଧାନସଭା ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମ୍କେକୁ ୧୨୨ରୁ ୧୩୨ଟି ଆସନ ମିଳିପାରେ । ଅପରପକ୍ଷେ ବିରୋଧୀ ଦଳ ଏଆଇଡିଏମ୍କେକୁ ୮୭ରୁ ୧୦୦ ଆସନ ମିଳିପାରେ । ସେହିଭଳି ଅନ୍ୟ ଦଳ ୧୦ରୁ ୧୮ଟି ଆସନ ହାତେଇପାରନ୍ତି । ୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ବାଦମଦଳକୁ ୬୦ରୁ ୬୫ ଆସନ ମିଳିପାରେ ବୋଲି ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି । କଂଗ୍ରେସକୁ ଏଠାରେ ୭୦ରୁ ୭୫ଟି ଆସନ ମିଳିପାରେ । ସୂଚନାଯୋଗ୍ୟ, ୫ଟି ରାଜ୍ୟର ୮୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୭ କୋଟି ମତଦାତା ଭୋଟିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଅନୁମାନ କରାଯାଉଛି । ଆସାମ, କେରଳ ଏବଂ ପୁଡୁଚେରୀରେ ଚଳିତ ମାସ ୯ ତାରିଖରେ ମତଦାନ ଗ୍ରହଣ କରାଯାଇଥିଲା । ତାମିଲନାଡୁରେ ଏପ୍ରିଲ ୨୩ ଗୋଟିଏ ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଗତ ୨୩ ତାରିଖରେ ମତଦାନ ହୋଇଥିଲା । ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି ।
