ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଇତିମଧ୍ୟରେ ଦୁଇମାସ ପୂରଣ ହୋଇଛି। ଏଥିପାଇଁ ବିଶ୍ବର ବିଭିନ୍ନ ଦେଶ ଗତ ଦୁଇମାସ ହେଲା ଅଶୋଧିତ ତେଲ ଓ ଗ୍ୟାସ ଆମଦାନିରେ ବଡ଼ ସମସ୍ୟାର ସାମନା କରୁଛନ୍ତି। କିନ୍ତୁ ଏହି ସଂକଟ ଭିତରେ ଭାରତକୁ ରୁଷ୍ ତେଲ ସହାୟକ ହୋଇଥିଲା। ମାର୍ଚ୍ଚ ମାସରେ ଭାରତ ରୁଷ୍ରୁ ରେକର୍ଡ ପରିମାଣର ଅଶୋଧିତ ତେଲ ଆମଦାନି କରିଥିଲା। କିନ୍ତୁ ଏପ୍ରିଲ ମାସରେ ରୁଷ୍ରୁ ଭାରତର ଅଶୋଧିତ ତେଲ ଆମଦାନି ହ୍ରାସ ପାଇଛି।ସୂଚନା ଅନୁଯାୟୀ ଭାରତୀୟ ତୈଳ ବିଶୋଧନ କମ୍ପାନିଗୁଡ଼ିକ ମାର୍ଚ୍ଚ ମାସରେ ରୁଷରୁ କିଣିଥିବା ଅଶୋଧିତ ତେଲ ତୁଳନାରେ ଏପ୍ରିଲରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ଘଟିଛି। ଏପ୍ରିଲ ମାସରେ ରୁଷ୍ରୁ ଭାରତ ଦୈନିକ ହାରାହାରି ୧୫.୭ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ଆଣିଛି। କିନ୍ତୁ ମାର୍ଚ୍ଚରେ ଭାରତୀୟ କମ୍ପାନିଗୁଡ଼ିକ ରୁଷ୍ରୁ ଦୈନିକ ପ୍ରାୟ ୨୦ ଲକ୍ଷ ବ୍ୟାରେଲ ତେଲ ଆଣିଥିଲେ। ମାର୍ଚ୍ଚ ମାସରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀ ବନ୍ଦ ଥିଲା। କିନ୍ତୁ ଏହି ସମୟରେ ରୁଷର ଅନେକ ଜାହାଜ ଅଶୋଧିତ ତେଲ ଆଣି ବିଶ୍ବର ବିଭିନ୍ନ ସ୍ଥାନରୁ ଯାତ୍ରା କରୁଥିଲେ। ସେହି ସମୟରେ ଭାରତ ରୁଷ୍ ତେଲ କିଣିବା ବଢ଼ାଇ ଦେଇଥିଲା। ଏଥିସହିତ ସେହି ସମୟରେ ରୁଷ୍ ତେଲ କ୍ରୟ ଉପରୁ ମଧ୍ୟ ଆମେରିକା କଟକଣାକୁ କୋହଳ କରିଥିଲା। କେପ୍ଲର୍ର କହିବାନୁଯାୟୀ, ଏପ୍ରିଲରେ ରୁଷ୍ରୁ ଅଶୋଧିତ ତେଲ ଆମଦାନି ହ୍ରାସ ଘଟିବାର ମୁଖ୍ୟତଃ ୩ଟି କାରଣ ରହିଛି। ସେଗୁଡ଼ିକରୁ ଗୋଟିଏ ହେଲା ରୁଷ୍ର ଏକ ବଡ଼ ରପ୍ତାନି ଟର୍ମିନାଲ ଉପରେ ୟୁକ୍ରେନ ଆକ୍ରମଣ କରିବାରୁ ଜାହାଜରେ ତେଲ ବୋଝେଇ ପ୍ରଭାବିତ ହୋଇଛି। ଦ୍ବିତୀୟ କାରଣ ହେଲା ମାର୍ଚ୍ଚରେ ଯେଭଳି ଫ୍ଲୋଟିଂ ତେଲ ଜାହାଜ ଉପଲବ୍ଧ ହୋଇଥିଲା ଏପ୍ରିଲରେ ତାହା ମିଳି ନଥିଲା। ତୃତୀୟ କାରଣ ହେଲା ଭାରତରେ କିଛି ବିଶୋଧନାଗାର ସେମାନଙ୍କ ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରହିବା। ଏପ୍ରିଲ ମାସରେ ଭାରତୀୟ ତୈଳ ନିଗମ ଲିମିଟେଡ ରୁଷ୍ରୁ ସବୁଠୁ ଅଧିକ ଅଶୋଧିତ ତେଲ କିଣିଛି। ରୁଷ୍ରୁ ଭାରତ କିଣିଥିବା ମୋଟ ତେଲରେ ଏହି କମ୍ପାନିର ଭାଗ ପ୍ରାୟ ୪୨ ପ୍ରତିଶତ ରହିଛି। ଏହି କମ୍ପାନି ଦୈନିକ ୬.୭ ଲକ୍ଷ ବ୍ୟାରେଲ ତେଲ କିଣିଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୈନିକ ୨.୬୩ ଲକ୍ଷ ବ୍ୟାରେଲ, ଭାରତ ପେଟ୍ରୋଲିୟମ ଦୈନିକ ୧.୩୬ ଲକ୍ଷ ବ୍ୟାରେଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଦୈନିକ ୮୩ ହଜାର ବ୍ୟାରେଲ ଅଶୋଧିତ ତେଲ କିଣିଛି। ନାୟରା ଏନର୍ଜି ମାର୍ଚ୍ଚରେ ଦୈନିକ ୩.୧୫ ଲକ୍ଷ ବ୍ୟାରେଲ ତେଲ ରୁଷ୍ରୁ କିଣିଥିବାବେଳେ ଏପ୍ରିଲରେ ଏହା ଦୈନିକ ୨୮ ହଜାର ବ୍ୟାରେଲକୁ ହ୍ରାସ ପାଇଛି। କାରଣ ଏହି କମ୍ପାନିର ବିଶୋଧନାଗାର ରକ୍ଷଣାବେକ୍ଷଣ ପାଇଁ ୯ ଏପ୍ରିଲରୁ ୩୫ ଦିନ ପାଇଁ ବନ୍ଦ ଘୋଷଣା ହୋଇଥିଲା। ହର୍ମୁଜ ପ୍ରଣାଳୀ ଅବରୋଧ ଜାରି ରହିଲେ ଆଗାମୀ ଦିନରେ ଭାରତ ରୁଷ୍ରୁ ପୁଣି ଥରେ ଅଧିକ ତେଲ ଆମଦାନି କରିବା ସମ୍ଭାବନା ରହିଛି।
