ବଲାଙ୍ଗୀର: ବିବାହ ସମାରୋହ ପାଇଁ ଖୁସିରେ ପାଣି ଆଣିବାକୁ ଯାଇଥିବା ପିକ୍ଅପ୍ ଭ୍ୟାନ୍ ଏକ ବଡ଼ଧରଣର ଦୁର୍ଘଟଣାର ସାମ୍ନା କରିଛି। ଏଥିରେ ଦୁଇ ଜଣ ନାବାଳକଙ୍କର ସହିତ ତିନିଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ମାରଲାର୍ଡ ବ୍ରିଜ୍ ନିକଟରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ମୋହକ ତାଣ୍ଡିଙ୍କର ପୁଅ ମୋସେସ ତାଣ୍ଡି (୧୪), କାଳିଆ ତାଣ୍ଡିଙ୍କ ପୁଅ କ୍ରିଷ୍ଣା ତାଣ୍ଡି (୧୪) ଏବଂ ବନ ତାଣ୍ଡିଙ୍କ ପୁଅ ବିକ୍ରମ ତାଣ୍ଡି (୨୫)।
ସୂଚନା ଅନୁସାରେ ଟିଟିଲାଗଡ଼ ନିକଟ ଲେସୁନବାହାଲି ଗାଁରେ ଆଜି ଅପରାହ୍ଣରେ ଏକ ବିବାହ ସମାରୋହ ଅବସରରେ ଭୋଜିର ଆୟୋଜନ ଚାଲିଥିଲା। ଅପରାହ୍ଣ ପ୍ରାୟ ୧ଟା ବେଳେ ଭୋଜି ପାଇଁ ଆସିଥିବା ପାଣି ପ୍ୟାକେଟ୍ ସରି ଯାଇଥିଲା। ଏହି ସମୟରେ ଆହୁରି ଶହଶହ ଲୋକ ଭୋଜି ଖାଇ ନଥିଲେ। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆୟୋଜକ ପକ୍ଷରୁ ଆବଶ୍ୟକ ପାଣି ପ୍ୟାକେଟ୍ ଆଣିବାକୁ ଯୋଜନା କରାଯାଇଥିଲା। ପାଣି ପ୍ୟାକେଟ୍ ଆଣିବା ପାଇଁ ଲେସୁନବାହାଲି ଗ୍ରାମରୁ ଏକ ପିକ୍ଅପ୍ ଭ୍ୟାନ୍ ଟିଟିଲାଗଡ଼କୁ ଅଗ୍ରସର ହେଉଥିବା ବେଳେ ମୋସେସ, କ୍ରିଷ୍ଣା ଏବଂ ବିକ୍ରମଙ୍କ ସହିତ ଅନ୍ୟ ପିଲାମାନେ ମଧ୍ୟ ଗାଡ଼ିରେ ବସିଥିଲେ। ତେବେ ପିକ୍ଅପ୍ ଭ୍ୟାନ୍ଟି ଟିଟିଲାଗଡ଼ ନିକଟ ମାରଲାର୍ଡ ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ପିକ୍ଅପ୍ରେ ଥିବା ସମସ୍ତ ଲୋକ ଆହତ ଏବଂ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଘଟଣାସ୍ଥଳରୁ ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମୋସେସ, କ୍ରିଷ୍ଣା ଏବଂ ବିକ୍ରମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଏହି ଅଘଟଣର ଶିକାର ହୋଇଥିବା ଅନ୍ୟ ୫ଜଣଙ୍କର ଚିକିତ୍ସା ଜାରି ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
