ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆଉ ଏକ ହତ୍ୟା ଉଦ୍ୟମ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଛି। ୱାସିଂଟନର ହିଲଟନ୍ ହୋଟେଲ୍ରେ ଗତରାତିରେ ଆୟୋଜିତ ହ୍ୱାଇଟ୍ହାଉସ୍ ସାମ୍ବାଦିକ ସଙ୍ଘ ନୈଶଭୋଜି ଅବସରରେ ଏହି ଗୁଳିକାଣ୍ଡ ଘଟିଛି। ସୁରକ୍ଷା ବ୍ୟବସ୍ଥା ଭେଦ ଯୋଗୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏହି ଉଦ୍ବେଗଜନକ ଘଟଣା ଆମେରିକାର ନେତୃତ୍ୱ ପ୍ରତି ବଢ଼ୁଥିବା ବିପଦ ଏବଂ ରାଜନୈତିକ ଅସ୍ଥିରତାକୁ ଦର୍ଶାଉଛି। ୱାସିଂଟନ୍ ହିଲଟନ୍ର ଏହି ଘଟଣା ୧୯୮୧ ମସିହାରେ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମର ସ୍ମୃତିକୁ ପୁଣି ତାଜା କରିଦେଇଛି। ସ୍ଥାନୀୟ ସମୟ ରାତି ପ୍ରାୟ ୮ଟା ୪୦ (ଭାରତୀୟ ସମୟ ସକାଳ ୬ଟା ୧୦)ରେ ଯେତେବେଳେ ରାଷ୍ଟ୍ରପତି ନିଜର ଅଭିଭାଷଣ ଆରମ୍ଭ କରିବାକୁ ଯାଉଥିଲେ, ହୋଟେଲ୍ ବାହାରେ ଥିବା ମୁଖ୍ୟ ସୁରକ୍ଷା ଯାଞ୍ଚ କେନ୍ଦ୍ର ନିକଟରେ ପ୍ରାୟ ୫ ରୁ ୮ ଥର ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତତ୍କ୍ଷଣାତ୍ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଘେରି ଯାଇଥିଲେ। ସେମାନଙ୍କୁ ଶାରୀରିକ ସୁରକ୍ଷା ପ୍ରଦାନ କରିବା ସହ ତୁରନ୍ତ ହୋଟେଲ୍ ଭିତରେ ଥିବା ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ବଲ୍ରୁମ୍ ଭିତରେ ବହୁ ସଂଖ୍ୟାରେ ଅତିଥି, ଯେଉଁଥିରେ କ୍ୟାବିନେଟ୍ ସଦସ୍ୟ ଏବଂ ପ୍ରତିଷ୍ଠିତ ସାମ୍ବାଦିକମାନେ ଥିଲେ, ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା କର୍ମୀମାନେ ସମସ୍ତଙ୍କୁ ଟେବୁଲ୍ ତଳେ ଶୋଇଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଆକ୍ରମଣକାରୀ ନାମ କୋଲ୍ ଟୋମାସ୍ ଆଲେନ୍ (୩୧) ବୋଲି ଜଣାପଡ଼ିଛି ଏବଂ ସେ କାଲିଫର୍ଣ୍ଣିଆ ଟୋରାନ୍ସର ବାସିନ୍ଦା। ଆଲେନ୍ ଜଣେ ମେକାନିକାଲ୍ ଇଞ୍ଜିନିୟର ଏବଂ ସେ ଏକାଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ବଳୟ ଭେଦ କରିବାକୁ ଚେଷ୍ଟା କରୁଥିଲା। ଟ୍ରମ୍ପ ନିଜର ‘ଟ୍ରୁଥ୍ ସୋସିଆଲ୍’ ଆକାଉଣ୍ଟରେ ଅଭିଯୁକ୍ତର କିଛି ଫଟୋ ଏବଂ ସିସିଟିଭି ଫୁଟେଜ୍ ସେୟାର କରିଛନ୍ତି, ଯେଉଁଥିରେ ସେ ସୁରକ୍ଷା ଯାଞ୍ଚ କେନ୍ଦ୍ର ଆଡ଼କୁ ଦୌଡ଼ୁଥିବା ଦେଖାଯାଉଛି।
