ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ବହୁବର୍ଷ ହେଲା ଆଭ୍ୟନ୍ତରୀଣ ଅଡିଟ୍ ଠିକ୍ ଭାବେ କରାଯାଇ ନାହିଁ। ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ ଓ ଅଡିଟ୍ ପାରାଗୁଡ଼ିକ ଖାଲି ରହିଛି। ଏଭଳି ଗମ୍ଭୀର ସ୍ଥିତି ଅର୍ଥ ବିଭାଗ ଜାଣିବା ପରେ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟର ୨୭ଟି ପ୍ରଶାସନିକ ବିଭାଗରୁ ସେପ୍ଟେମ୍ବର ୨୦୨୫ ସୁଦ୍ଧା ମିଳିଥିବା ମାସିକ ଅଗ୍ରଗତି ରିପୋର୍ଟ ଅର୍ଥ ବିଭାଗ ସମୀକ୍ଷା କରିବା ପରେ ଏହି ତଥ୍ୟ ପଦାକୁ ଆସିଛି। ବକେୟା ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ଓ ଖାଲି ପଡ଼ିଥିବା ପାରା ବା ଅନୁଚ୍ଛେଦଗୁଡ଼ିକର ରିପୋର୍ଟ ଠିକ୍ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୀକ୍ଷାରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୮,୨୧୪ଟି ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ଏବଂ ୭୭,୪୧୩ଟି ଅଡିଟ୍ ପାରା ବକେୟା ରହିଛି। ଏହି ବକେୟାଗୁଡ଼ିକ ସହିତ ଜଡ଼ିତ ଆର୍ଥିକ ଅନିୟମିତତାର ପରିମାଣ ପ୍ରାୟ ୪ ଲକ୍ଷ ୮୪ ହଜାର ୪୮୧ କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ଯେଉଁଥିରେ ଅର୍ଥ ହରିଲୁଟ୍, ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଅର୍ଥ ଏବଂ ଆପତ୍ତି ଉଠାଯାଇଥିବା ଅର୍ଥରାଶି ଅନ୍ତର୍ଭୁକ୍ତ। ବାକି ରହିଥିବା ଅଡିଟ୍ ରିପୋର୍ଟ ଏବଂ ଅର୍ଥରାଶିର ପରିମାଣକୁ ଦେଖିଲେ ଏହା କେବଳ ଗଭୀର ଚିନ୍ତାର ବିଷୟ ପାଲଟିନାହିଁ, ବରଂ ଅଡିଟ୍ କାର୍ଯ୍ୟକାରିତା ଓ ଆର୍ଥିକ ପରିଚାଳନାରେ ରହିଥିବା ଦୁର୍ବଳତାକୁ ଦର୍ଶାଉଛି। ଆଇନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ବିଭାଗକୁ ଛାଡ଼ି ଅନ୍ୟ ସବୁ ବିଭାଗର ଆର୍ଥିକ ପରାମର୍ଶଦାତାମାନଙ୍କୁ ଅର୍ଥ ବିଭାଗ ପକ୍ଷରୁ ଏହି ମର୍ମରେ ଚିଠି ଦିଆଯାଇଛି। ଅର୍ଥ ବିଭାଗ କହିଛି ଯେ ଆକାଉଣ୍ଟଗୁଡ଼ିକର ଅଡିଟ୍ ଏବଂ ଅଡିଟ୍ ନିୟମ ପାଳନ ଉପରେ ବିଭାଗଗୁଡ଼ିକ ଯଥେଷ୍ଟ ଧ୍ୟାନ ଦେଇନାହାନ୍ତି। ବକେୟା ଅଗ୍ରିମ ଜମା ଏତେ ବର୍ଷ ଧରି ପଡ଼ିରହିଛି ଯେ ଉତ୍ତରଦାୟିତ୍ବ ସ୍ଥିର କରିବା କଠିନ ହୋଇଯାଇଛି। ସେହିଭଳି ଅଡିଟ୍ ପାରାଗୁଡ଼ିକ ୧୦ରୁ ୨୦ ବର୍ଷ ଧରି ପଡ଼ି ରହିଛି। ଏହି ସମୟ ମଧ୍ୟରେ ସଂପୃକ୍ତ ଅଧିକାରୀମାନେ ଦୋଷୀ ଅଧିକାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ଅର୍ଥ ଆଦାୟ ପାଇଁ ପଦକ୍ଷେପ ନ ନେଇ ଅବସର ନେଇ ସାରିଛନ୍ତି କିମ୍ବା ମୃତ୍ୟୁବରଣ କରିସାରିଛନ୍ତି। ହରିଲୁଟ୍ ହୋଇଥିବା ଅର୍ଥ ଦୀର୍ଘ ବର୍ଷ ଧରି ଆଦାୟ ହୋଇ ନ ପାରିବାରୁ ଏବଂ ଅଗ୍ରିମ ରାଶିଗୁଡ଼ିକୁ ସମଯୋଜିତ କରାଯାଇ ନ ପାରିବାରୁ ସରକାରଙ୍କ ରାଜକୋଷକୁ ବଡ଼ ଆର୍ଥିକ କ୍ଷତି ହୋଇଛି। ଏହି ଗମ୍ଭୀର ସମସ୍ୟାର ସମାଧାନ ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛନ୍ତି। ସମସ୍ତ ବିଭାଗର ଆର୍ଥିକ ପରାମର୍ଶଦାତା (ଏଫ୍ଏ) ଓ ସହକାରୀ ଆର୍ଥିକ ପରାମର୍ଶଦାତା(ଏଏଫ୍ଏ)ମାନଙ୍କୁ ନିଜ ସ୍ତରରେ ବକେୟା ଅଡିଟ୍ ରିପୋର୍ଟ ଓ ପାରାଗୁଡ଼ିକର ନିୟମିତ ଅନୁଧ୍ୟାନ ଏବଂ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଡିଟ୍ ହେବାକୁ ଥିବା ବିଭାଗଗୁଡ଼ିକୁ ଏହାର ତୁରନ୍ତ ସମାଧାନ ପାଇଁ କୁହାଯାଇଛି। ଦୋଷୀ ଅଧିକାରୀମାନଙ୍କ ବିରୋଧରେ ଯେଭଳି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେଥିପାଇଁ ବିଭାଗଗୁଡ଼ିକୁ ଆର୍ଥିକ ପରାମର୍ଶଦାତା ଓ ସହକାରୀ ଆର୍ଥିକ ପରାମର୍ଶଦାତାମାନେ ମାର୍ଗଦର୍ଶନ କରିବେ। ସେହିଭଳି ଅଧିକ ବିଳମ୍ବ ହେବା ପୂର୍ବରୁ ଅଡିଟ୍ ପାରାଗୁଡ଼ିକ ପୂରଣ କାର୍ଯ୍ୟକୁ ମଧ୍ୟ ସେମାନେ ଦେଖିବେ। ଆଭ୍ୟନ୍ତରୀଣ ଅଡିଟ୍ ରିପୋର୍ଟ ଏବଂ ବାକି ପଡ଼ିଥିବା ପାରା ସଂପର୍କିତ ସମୀକ୍ଷା ଅର୍ଥ ବିଭାଗ ପ୍ରତି ବିଭାଗ ଅନୁଯାୟୀ କରିବ। ଅର୍ଥ ବିଭାଗର ଏହି ନିର୍ଦ୍ଦେଶନାମା ଆସିବା ପରେ ପୂର୍ତ୍ତ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗର ଆର୍ଥିକ ପରାମର୍ଶଦାତା ଏ ନେଇ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ଅନ୍ୟମାନଙ୍କୁ ଚିଠି ଲେଖିଛନ୍ତି। ବକେୟା ଅଡିଟ୍ ରିପୋର୍ଟ ଏବଂ ଅଡିଟ୍ ପାରାଗୁଡ଼ିକୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅଗ୍ରାଧିକାର ଭିତ୍ତିରେ କରିବା ସହ ଅତି ଜରୁରୀ ଭାବେ ବିଚାର କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।
