ଝରିଗାଁ,୧୯/୪ : ଆଦିମ କାଳରୁ ଆଦିବାସୀ ସମ୍ପ୍ରଦାୟ ବ୍ୟଞ୍ଜନରେ କାଈ ଚଟଣୀର ସ୍ବତନ୍ତ୍ର ସ୍ଥାନ ରହିଛି । ବିଶେଷ କରି ଖରାଦିନେ କାଈ ଓ ଏହାର ଛୋଟଛୋଟ ଅଣ୍ଡାରେ ସ୍ବତନ୍ତ୍ର ଚଟଣୀ, କାଈ ତରକାରୀ ଓ କାଈ ଆମ୍ବିଳ ଖଟା ଆଦି ପ୍ରସ୍ତୁତ କରି ଖାଇଥାନ୍ତି । ସେମାନଙ୍କ କହିବା ଅନୁସାରେ କାଈରେ ଭରପୂର ଔଷଧୀୟ ଗୁଣ ରହିଛି । ଏହା ବାତ, କଫ, ପିତ, ସର୍ଦ୍ଦି ଓ ଏଲାର୍ଜିକ୍ ଆଦି ପାଇଁ ବେଶ୍ ଉପକାରୀ ହୋଇଥାଏ । ବିଶେଷ କରି ଶରୀରରେ ବଢୁଥିବା ପିତ ଅଂଶ ହ୍ରାସ କରିବାରେ କାଈ ବେଶ୍ ସହାୟକ ହେଉଥିବା ଆଦିବାସୀ ସମ୍ପ୍ରଦାୟରେ ବିଶ୍ୱାସ ରହିଛି ।
ଆଞ୍ଚଳିକ ଭାଷାରେ ଏହାକୁ ଚାପେଡ଼ା କହୁଛନ୍ତି । ଏହି ଗ୍ରୀଷ୍ମରେ ଜଙ୍ଗଲ ଓ ଗ୍ରାମରେ ରହିଥିବା ଶାଳ, କେନ୍ଦୁ, କୁସୁମ, ଆମ୍ବ ମହୁଲ ପଣସ ଗଛରେ କାଈ ବହୁଳ ମାତ୍ରାରେ ମିଳିଥାଏ । ଯାହା ଆଦିବାସୀ ପୁରୁଷ ମହିଳା ଏ ସବୁ ଗଛରୁ କାଈ ବସା ସଂଗ୍ରହ କରି ସେଥିରୁ କାଈ ଓ ଅଣ୍ଡା ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି । ଗଛର ପତ୍ରରେ ସ୍ୱତନ୍ତ୍ର ବସା ଘର କରି କାଈ ସେଥିରେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି । ପ୍ରଚଣ୍ଡ ଖରାରେ ଗଛ ଗଛ ବୁଲି ଲାଠି ସାହାଯ୍ୟରେ କାଈ ବସା ଝଡ଼ାଇ ଅଣ୍ଡା ଓ ବଡ଼ କାଈ ସଂଗ୍ରହ କରିବା ଆଦିବାସୀଙ୍କ ଏକ ସ୍ୱତନ୍ତ୍ର ସଉକ ବୋଲି ମାଘେ ମାଝୀ, ରବି ସାନ୍ତା, ସାରଥୀ ଜାନି, କୃଷ୍ଣ ପାଙ୍ଗି, ରଘୁ ସାନ୍ତା ପ୍ରମୁଖ କହିଛନ୍ତି । ଆଞ୍ଚଳିକ ହାଟ ବଜାରରରେ ବିକ୍ରି ମଧ୍ୟ ହୋଇଥାଏ । ଗାଁର ଯୁବକ ଯୁବତୀ ପୁରୁଷ ମହିଳା ଦଳ ଦଳ ହୋଇ ଦୂର ଦୂରାନ୍ତ ସ୍ଥାନକୁ ଯାଇ କାଈ ସଂଗ୍ରହ କରିଥାନ୍ତି । ଏକ ସ୍ୱତନ୍ତ୍ର ଧରଣର ନାରଙ୍ଗୀ ରଙ୍ଗ ପିମ୍ପୁଡ଼ି ବା ଯନ୍ଦା ହଜାରେ ହଜାରେ ସଂଖ୍ୟାରେ ମେଳି ବାନ୍ଧି ଗଛର ପତ୍ରରେ ବସା ତିଆରି କରି ରହିଥାନ୍ତି । ଛୋଟରୁ ବଡ଼ ହୋଇ କାଈ ବଢ଼ିବା ସହ ଅଣ୍ଡା ଦେଇଥାନ୍ତି । ଅତି ସାବଧାନତାର ସହ ଗଛରେ ଚଢି କାଈ ବସା ତଳେ କାଢି ନିଆଁ ଜାଳି ଗରମ ଝାସ ଦେଇ କାଈ ଓ ପିମ୍ପୁଡ଼ିକୁ ଅଲଗା କରି ଏହାର ବଡ଼ କାଈ ଅଣ୍ଡା ସଂଗ୍ରହ କରିଥାନ୍ତି । ଅସାବଧାନତା ଯୋଗୁଁ କାଈ ଝାଡ଼ିବା ବେଳେ ଦେହ ସାରା କାଈ ମାଡ଼ି କାମୁଡ଼ି ଥାନ୍ତି । ଯାହା ସାମାନ୍ୟ ଯନ୍ତ୍ରଣା ଦାୟକ ହେଲେ ସୁଦ୍ଧା ଦେହର ପିତ ଅମ୍ଳ କମାଇବାରେ ସହାୟକ ହୋଇଥାଏ । କାଈ ଓ ଅଣ୍ଡାରେ ପ୍ରସ୍ତୁତ ପୁଡ଼ୁଗା ବା ଭଜା ଖାଇବାକୁ ସବୁରି ପସନ୍ଦ ହୋଇଥାଏ ବୋଲି ମଧ୍ୟାହ୍ନ ସାନ୍ତା କହିଛନ୍ତି । ତରକାରୀ, ଚଟଣୀ ଭଜା ଖାଇବାକୁ ସୁସ୍ୱାଦୁ ଓ ଖଟା ଲାଗିଥାଏ । ବର୍ଷାରେ ଥରେ ମିଳୁଥିବା କାଈକୁ ଥରେ ଦୁଇ ଥର ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଏମାନଙ୍କ ବିଶ୍ୱାସ ରହିଛି । ଆଦିମ କାଳରୁ ଆଦିବାସୀଙ୍କ ବ୍ୟଞ୍ଜନରେ ଏହା ସ୍ଥାନ ପାଇ ଆସିଛି । ନିଜେ ଖାଇବା ସହ ବଜାରକୁ ଆଣି ବିକ୍ରି କରିଥାନ୍ତି ଆଦିବାସୀ। ପ୍ରାୟ ୧୦୦ଗ୍ରାମ କାଈ ୩୯ଟଙ୍କାରୁ ୪୯ଟଙ୍କାରେ ବିକ୍ରି ହେଉଥିବାବେଳେ କିଲୋ ପ୍ରତି ୩୫୯ଟଙ୍କାରୁ ୪୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଝରିଗାଁ ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବର୍ତ୍ତମାନ ଗ୍ରୀଷ୍ମରେ କାଈ ସଂଗ୍ରହ କରି ବ୍ୟଞ୍ଜନ ପ୍ରସ୍ତୁତ କରି କହୁଛନ୍ତି ଲୋକେ । ଏହାର ଔଷଧୀୟ ଗୁଣ ରହିଥିବାରୁ ଅନ୍ୟ ସମ୍ପ୍ରଦାୟ ଲୋକେ ଖାଈବାକୁ ପସନ୍ଦ କରୁଛନ୍ତି ।
