ଭୁବନେଶ୍ୱର : ଆୟଠୁ ଅଧିକା ସମ୍ପତ୍ତି ଠୁଳ କରି ବନ୍ଧା ହେଲେ କେନ୍ଦ୍ରୀୟ ଜଳସେଚନ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ଡ୍ୟାମ୍ ସେଫ୍ଟିରେ ଥିବା ତାଙ୍କ ଅଫିସ୍, ଢେଙ୍କାନାଳ ଦେଉଳସାହି ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲା ବଡ଼ଚଣାର କୋହ୍ଲାସିଂହପୁର ପୈତୃକ ଘର, ଢେଙ୍କାନାଳ ବିଳାସପୂର୍ଣ୍ଣ ଫାର୍ମ ହାଉସ୍, ସରକାରୀ କ୍ୱାର୍ଟର୍ସ ସମେତ ମୋଟ୍ ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ୮ କୋଟିରୁ ଅଧିକ ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। ୧୯୯୪ ମସିହାରେ ମାତ୍ର ୨୦୦୦ ଟଙ୍କାରେ ଷ୍ଟାଇପେଣ୍ଡାରି ଇଞ୍ଜିନିୟର(ହାଉସିଂ ବୋର୍ଡ) ଭାବରେ ରାଜେଶ ମହାନ୍ତି ଚାକିରି ଆରମ୍ଭ କରିଥିଲେ । ଏବେ ସେ ଟଙ୍କାର ପାହାଡ଼ ଉପରେ ବସିଛନ୍ତି । ବାବୁଙ୍କ ଠାଣି ପୂରା ଜମିଦାରଙ୍କ ଭଳି । ବିନା ଟଙ୍କାରେ ସେ କୌଣସି କାମ କରୁନଥିଲେ । ଖାଲି ସେତିକି ନୁହେଁ ପିସି ବଦଳରେ ସେ ଠିକାଦାରଙ୍କ ସହ ଅଘୋଷିତ ପାର୍ଟନସିପ୍ରେ କାମ କରୁଥିଲେ । ସେ ତାଙ୍କ କଳାଧନକୁ ଠିକାଦାରଙ୍କ ମାଧ୍ୟମରେ ବିନିଯୋଗ କରି ଲାଭ ବି କମାଉଥିଲେ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି । ୨୦୨୫ରେ ଭିଜିଲାନ୍ସ ବିଭାଗ ପାଖକୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଏକାଧିକ ପିଟିସନ୍ ଆସିଥିଲା । ଉକ୍ତ ପିଟିସନ୍ ଆଧାରରେ ଭିଜିଲାନ୍ସ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା । ଏହି ସମୟରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ନେଇ ସୁରାକ୍ ମିଳିଥିଲା । ତାଙ୍କର ଆୟବହିର୍ଭୂତ ସମ୍ପତ୍ତି ଠାବ ଲାଗି ସ୍ପେଶାଲ୍ ଭିଜିଲାନ୍ସ ଜଜ୍ଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଭିଜିଲାନ୍ସ । କୋର୍ଟଙ୍କ ଅନୁମତି ପରେ ବୁଧବାର ସକାଳେ ଚଢ଼ଉ ଆରମ୍ଭ ହୋଇଥିଲା । ରାଜେଶଙ୍କର ସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ବରମୁଣ୍ଡା ହାଉସିଂ ବୋର୍ଡ୍ କଲୋନୀ ପ୍ଲଟ୍ ନମ୍ବର ୨୧୦-ବିରେ ୩ ହଜାର ବର୍ଗଫୁଟ୍ର ୩ ମହଲାର ବଳାସପୂର୍ଣ୍ଣ କୋଠା, ଢେଙ୍କନାଳ ଜିଲ୍ଲା ଭାପୁରର ବିମ୍ୱୋଳରେ ଥିବା ପ୍ରାୟ ଦୁଇ ଏକରର ଫାର୍ମ ହାଉସ୍ । ତା’ ଭିତରେ ୪ ହଜାର ବର୍ଗଫୁଟ୍ର ଦୁଇ ମହଲାର ସୌଖୀନ ଘର । ଭୁବନେଶ୍ୱରରେ ୨ଟି ପ୍ଲଟ୍, ଯାଜପୁର ଓ ଢେଙ୍କାନାଳରେ ୪ଟି ପ୍ଲଟ୍ ରହିଛି । ଇଞ୍ଜିନିୟର ବାବୁଙ୍କର ଚଳଣି କୌଣସି ଧନୀ ବ୍ୟବସାୟୀଙ୍କଠାରୁ କମ୍ ନଥିଲା । ଚଢ଼ଉ ସମୟରେ ତାଙ୍କ ଘରୁ ମିଳିଥିଲା ୨୦ରୁ ଅଧିକ ଦାମୀ ଘଣ୍ଟା । ଖାଲି ସେତିକି ନୁହେଁ ଚଷମାର ଭଣ୍ଡାର ମଳିଥିଲା । ଆଉ ସାଢ଼େ ୩ ଶହ ଗ୍ରାମ୍ ଓଜନର ସୁନା ଅଳଙ୍କାର । ତା’ଛଡା ଅସ୍ଥାବର ସମ୍ପତ୍ତିରେ ମିଳିଛି ନଗଦ ୬ ଲକ୍ଷ ୨୩ ହଜାର ଟଙ୍କା, ୧ କୋଟି ୭୦ ଲକ୍ଷ ବ୍ୟାଙ୍କ୍ ଜମା, ୨ଟି ଚାରିଚକିଆ ଯାନ ଓ ୨ଟି ଦୁଇଚକିଆ ଯାନ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ବାବୁ ଜଣଙ୍କ ୨୦୨୫ରେ ଭ୍ରମଣ ପାଇଁ ବିମାନ ଟିକଟ୍ ବାବଦକୁ ଖର୍ଚ୍ଚ କରିଛନ୍ତି ୧୩.୪୭ ଲକ୍ଷ ଟଙ୍କା । ଏତେ ଟଙ୍କାର ବିମାନ ଯାତ୍ରାରେ ସେ କେଉଁ ଆଡ଼େ ଯାଇଥିଲେ ଏବଂ କେମିତି ଟଙ୍କା ଉଡ଼ାଇଥିଲେ ତାହର ହିସାବ କରୁଛି ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ୍ । ରାଜେଶ ମହାନ୍ତି ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ହାଉସିଂବୋର୍ଡରେ କାର୍ଯ୍ୟ କରିଥିଲେ । ୧୯୯୬ରେ ତାଙ୍କର ଜଳସମ୍ପଦ ପ୍ଲାନିଂ ନିର୍ଦ୍ଦେଶକ ବିଭାଗକୁ ବଦଳି ହୋଇଥିଲା । ୧୯୯୭ ଜୁନ୍ରୁ ଫେବ୍ରୁଆରୀ ୨୦୦୩ ପର୍ଯ୍ୟନ୍ତ ସେ ରେଙ୍ଗାଲି ରାଇଟ୍ କେନାଲ ପ୍ରକଳ୍ପ ଅଧୀନରେ ସହକାରୀ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ । ଫେବ୍ରୁଆରୀ ୨୦୦୩ରେ, ସେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ପଦୋନ୍ନତି ପାଇ ଜାରକା-ଚାନ୍ଦବାଲି ଉପଖଣ୍ଡ ଦାୟିତ୍ୱରେ ରହିଥିଲେ । ୨୦୧୪ କଟକର ମହାନଦୀ ସାଉଥ୍ ଡିଭିଜନକୁ ବଦଳି ହୋଇଥିଲା । ୨୦୨୦ରେ ଅଧୀକ୍ଷଣ ଯନ୍ତ୍ରୀ(ଏସ୍ଇ) କୁ ପଦୋନ୍ନତି ପାଇଥିଲେ । ୨୦୨୧ ଜୁଲାଇରେ ସେ ଅତିରିକ୍ତ ମୁଖ୍ୟଯନ୍ତ୍ରୀକୁ ପଦୋନ୍ନତି ପାଇଥିଲେ । ୨୦୨୬ ଫେବ୍ରୁଆରୀରେ ତାଙ୍କର ଜଳସେଚନ ବିଭାଗର ଯନ୍ତ୍ରୀମୁଖ୍ୟ(ଇଆଇସି) କାର୍ଯ୍ୟାଳୟସ୍ଥିତ ଡ୍ୟାମ୍ ସେଫ୍ଟିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିଯୁକ୍ତି ପାଇଥିଲେ ।
