ଭୁବନେଶ୍ବର: ସାତ ଜନମର ସାଥୀ ହେବେ ବୋଲି ହାତ ଧରିଥିଲେ । ଅବସର ପରେ ବାକି ଜୀବନ ହସଖୁସିରେ କାଟିଦେବେ ବୋଲି ଭାବିଥିଲେ । ହେଲେ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବାରୁ ପତ୍ନୀ ବାହାରକୁ ଛାଡ଼ିବାକୁ ରାଜି ହେଉ ନ ଥିଲେ । ଘରୁ ବାହାରକୁ ଯିବାକୁ ସେ ଜିଦ୍ ଧରୁଥିଲେ । ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ବୁଧବାର ଏହି ତିକ୍ତତା ଭୀଷଣ ରୂପ ନେଲା । ପ୍ରବଳ ଝଗଡ଼ା ଲାଗିଲା। ଏଥିରେ ଉକ୍ଷିପ୍ତ ହୋଇ ସ୍ତ୍ରୀଙ୍କ ମୁହଁକୁ ବାରମ୍ବାର ମୁଥ ମାରିଚାଲିଲେ । ଆଉ ଯେଉଁ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇଥିଲେ, ସେହି ଗଳାକୁ ଏକ ପରିବା କଟା ଛୁରିରେ କାଟି ଦେଲେ । ଶୋଇବା ଘରର ଖଟ ତଳେ ପଡ଼ି ଛଟପଟ ହୋଇ ସ୍ତ୍ରୀଙ୍କ ଜୀବନ ଚାଲିଗଲା । ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଅବସରପ୍ରାପ୍ତ ଏଜି ଅଧିକାରୀ ଦେବରାଜ ଷଡ଼ଙ୍ଗୀ ଶେଷରେ ମନସ୍ତାପ କରି ଶେଷରେ ଥାନାରେ ଆତ୍ମସମର୍ପଣ କରିଦେଲେ । ଏଭଳି ଏକ ଘଟଣା ସାରା ରାଜଧାନୀକୁ ସ୍ତମ୍ଭିଭୂତ କରି ପକାଇଛି । ସାମାନ୍ୟ କଳିରୁ ଦୀର୍ଘ ୩୫ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଛେଦ ପକାଇ ଦେଲେ ଦେବରାଜ। ତେବେ ମୃତକ ମହିଳା ହେଲେ ପ୍ରିୟମ୍ବଦା ଷଡ଼ଙ୍ଗୀ (୫୫) । ଏୟାରଫିଲ୍ଡ ଥାନା ପୁଲିସ ହତ୍ୟା ଅଭିଯୁକ୍ତତଥା ସ୍ୱାମୀ ଦେବରାଜ ଷଡ଼ଙ୍ଗୀ(୬୨)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ୍ ନାମଞ୍ଜୁର ହେବା ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଯାଇଛି। ଆଗକୁ ଆବଶ୍ୟକ ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଟୁଇନ୍ ସିଟି କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। ଦେବରାଜଙ୍କ ଘର ନୟାଗଡ଼ ଖଣ୍ଡପଡ଼ା ନଟବରପୁର । ସେ କୁହା ଗାଁର ସ୍ୱସ୍ତିକ ନଗରରେ ଘର କରିଥିଲେ । ମାନସିକ ଅବସାଦ କାରଣରୁ ବିଚଳିତ ହୋଇ ଅମାନୁଷିକ ଭାବେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ଦେବରାଜ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏୟାରଫିଲ୍ଡ ଥାନାରେ ପହଞ୍ଚିଥିଲେ । ବ୍ୟାଗ୍ରେ ଆଣିଥିବା ଏକ ଧାରୁଆ ଛୁରିକୁ ଥାନାର ଟେବୁଲ ଉପରେ ରଖିଥିଲେ । ଛୁରିରେ ରକ୍ତ ଲାଗିଥିଲା । ହତଚକିତ ହୋଇପଡି଼ଲେ ଥାନାରେ ସମସ୍ତେ । ପୁଲିସ ତାଙ୍କୁ ପଚରାଉଚରା କରିଥିଲା । ସେ ଉକ୍ତ ଛୁରିରେ ସ୍ତ୍ରୀର ଗଳାକାଟି ତାକୁ ହତ୍ୟା କରିଛନ୍ତି ବୋଲି ପୁଲିସ ଅଧିକାରୀଙ୍କୁ କହିଥିଲେ । ତୁରନ୍ତ ପୁଲିସର ଏକ ଟିମ୍ ସ୍ୱସ୍ତିନଗରସ୍ଥିତ ଦେବରାଜଙ୍କ ଘର ଅଭିମୁଖେ ବାହାରିଥିଲା । ପ୍ରଥମ ମହଲାରେ ଥିବା ବେଡ୍ ରୁମ୍ ଖଟ ତଳେ ପ୍ରିୟମ୍ବଦାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା । ଶବ ପାଖରେ ରକ୍ତଛିଟା ଲାଗିଥିବା ଏକ ପ୍ୟାଣ୍ଟ ସାର୍ଟ ବି ପଡି଼ଥିଲା । ଘରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଥିଲା । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ସାଇଣ୍ଟିଫିକ୍ ଟିମ୍ ଛୁରି ଓ ସାର୍ଟ ପ୍ୟାଣ୍ଟରୁ ରକ୍ତ ନମୁନା ସଂଗ୍ରହ କରିଛି । ପୁଲିସ ଟିମ୍ ସମ୍ପର୍କୀୟ ଓ ଆଖପାଖ ବାସିନ୍ଦାଙ୍କୁ ପଚରାଉଚରା ଚଳାଇଛି । ରୋଗଗ୍ରସ୍ତ ଯୋଗୁ ସେ ମାନସିକ ଅବସାଦରେ ରହୁଥିବା ପୁଲିସ ଜାଣିବାକୁ ପାଇଛି । ପୁଲିସ ଛୁରି ଓ ୨ଟି ମୋବାଇଲ୍ ଫୋନ୍କୁ ଜବତ କରିବା ସହ ତଦନ୍ତ ଜାରି ରହିଛି । ପୁଲିସ ତନାଘନାରୁ ଜଣାପଡି଼ଛି, ଦେବରାଜ ଏଜି ଅଫିସରେ ସିନିୟର ଆକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ୨ ବର୍ଷ ତଳେ ଚାକିରିରୁ ଅବସର ନେଇଥିଲେ । ସ୍ୱସ୍ତିକ ନଗର ଲେନ୍-୪ରେ ଏକ ନୂଆ ଘର ତିଆରି କରିଥିଲେ । ୬ ମାସ ତଳେ ସପରିବାରେ ସେଠାରେ ରହୁଥିଲେ । ଦେବରାଜ ୫ ବର୍ଷ ଧରି ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଯକୃତ ସମ୍ବନ୍ଧୀୟ ରୋଗରେ ପୀଡି଼ତ ଥିଲେ । ଦୀର୍ଘକାଳ ଧରି ରୋଗଗ୍ରସ୍ତ ଯୋଗୁ ତାଙ୍କ ଶରୀର କ୍ଷୀଣ ହେବାରେ ଲାଗିଲା । ସେ ଧୀରେ ଧୀରେ ମାନସିକ ସ୍ତରରେ ଦୁର୍ବଳ ହେବାକୁ ଲାଗିଲେ । ସବୁବେଳେ ତାଙ୍କୁ ମାନସିକ ଚିନ୍ତା ମାଡି଼ ବସୁଥିଲା । ହତ୍ୟା ପରେ ଦେବରାଜ ପାତ୍ରପଡ଼ାସ୍ଥିତ ତାଙ୍କ ଝିଅ ଅର୍ପିତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ଦିନ ୧୧ଟା ବେଳେ ଘର ବାହାରେ ଝିଅକୁ ଭେଟିବା ସହ ମା’ଙ୍କ ସବୁ ସୁନାଗହଣା ଏବଂ କିଛି ନଗଦ ଟଙ୍କା ଧରାଇଥିଲେ । ନିଜେ ପିନ୍ଧିଥିବା ସୁନା ଚେନ୍ ଓ ମୁଦିକୁ ମଧ୍ୟ କାଢ଼ିକି ଝିଅକୁ ଦେଇଥିଲେ । ଆଉ ତରବର ହୋଇ ପଳାଇ ଆସିଥିଲେ । ସୁନା ଗହଣା ଦେବାର କାରଣ ପଚାରିବାରୁ କହିଥିଲେ, ତୁ ଏସବୁ ରଖି ଥା । ଦରକାର ବେଳେ କାମରେ ଆସିବ । ଅର୍ପିତା ପୁଲିସକୁ କହିଛନ୍ତି, ବାପା ସକାଳ ୮ଟାରେ ଫୋନ୍ରେ ମୋ ସହ କଥା ହୋଇଥିଲେ । ସେତେବେଳେ ବାପାଙ୍କ ସ୍ୱଭାବ ଠିକ୍ଠାକ ଥିଲା । ମା’ର ଫୋନ୍ରେ ରିଚାର୍ଜ କରିବାକୁ କହିଥିଲେ । ମୁଁ ମଧ୍ୟ ରିଚାର୍ଜ କରିଥିଲି । ସକାଳେ ଜଳଖିଆ ଖାଇଥିବା ମଧ୍ୟ କହିଥିଲେ । ପୁଲିସ ତଦନ୍ତରୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ରୋଗଗ୍ରସ୍ତ ହେବା ପରେ ଦେବରାଜ ଆଉ ବଞ୍ଚିବେନି ବୋଲି ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଏକାଧିକ ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା ବି କରିଛନ୍ତି । ଆଜି ସକାଳେ ଘର ବାହାରକୁ ଯିବାକୁ ନେଇ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ନିଦ୍ରାହୀନତା ଓ ମାନସିକ ଚାପରେ ଥିବାରୁ ସେ ହଠାତ୍ ଆକ୍ରମଣାତ୍ମକ ହୋଇ ଏପରି କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି ।
