ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଅସ୍ଥିରତା ଏବଂ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ହାତ ଧରିଛି ପୁରୁଣା ବନ୍ଧୁ ରୁଷ । ଭାରତକୁ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ (ଖଘଏ) ର ଯୋଗାଣ ବଢ଼ାଇବା ପାଇଁ ରୁଷ ଏକ ଖୋଲା ପ୍ରସ୍ତାବ ଦେଇଛି । ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ୍ ନିକଟରେ ଭାରତ ଗସ୍ତ କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏବଂ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ବଜାରରେ ଏବେ ହାହାକାର ପରିସ୍ଥିତି । ବିଶେଷ କରି ଷ୍ଟେଟ୍ ଅଫ୍ ହୋର୍ମୁଜ ଦେଇ ଯାଉଥିବା ୨୦ ପ୍ରତିଶତ ତେଲ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ଏହି ସମୟରେ ରୁଷ କହିଛି ଯେ, ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ସେ ସମ୍ପୂର୍ଣ୍ଣ ସକ୍ଷମ । ରୁଷର ଉପ-ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି । ଭାରତ-ରୁଷ ଆନ୍ତଃ-ସରକାରୀ ଆୟୋଗ ବୈଠକରେ ବାଣିଜ୍ୟ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ପରିବହନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତି ହୋଇଛି । ଗତବର୍ଷ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଇଛି । ବିଶ୍ୱ ସ୍ତରରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରୁଷର ଏହି ପ୍ରସ୍ତାବ ଭାରତ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାଦ୍ୱାରା ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ ହେବା ସହ ଆର୍ଥôକ ଅଭିବୃଦ୍ଧିରେ ମଧ୍ୟ ସହାୟତା ମିଳିବ ।
