ଭୁବନେଶ୍ୱର : ସବୁଠୁ ବଡ଼ ରୋଗ ବୋଲି କୁହାଯାଉଥିବା କୁଷ୍ଠ ରୋଗ ମୂଳୋତ୍ପାଟନ ପାଇଁ ହୋଇଥିବା ସବୁ ଉଦ୍ୟମ ସତେ ଯେମିତି ଫେଲ ମାରିଛି । ରାଜ୍ୟରେ କାୟା ମେଲାଇ ଚାଲିଛି କୁଷ୍ଠ । ସରକାରୀ ହିସାବ କହୁଛି, ରାଜ୍ୟରେ ବର୍ଷକୁ ପାଖାପାଖି ୮ ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ବିଗତ ୭ ବର୍ଷରେ ୫୫ହଜାରରୁ ଅଧିକ ମାମଲା ନଜରକୁ ଆସିଛି । ଏଭଳି ଭାବେ ସଂକ୍ରମଣ ହାର ବଢ଼ି ଚାଲିଲେ ଆଗକୁ ସ୍ଥିତି ଉଦବେଗଜନକ ହେବା ଆଶଙ୍କା ସୃଷ୍ଟି ହୋଇଛି । ଚିହ୍ନଟ ରୋଗୀଙ୍କ ଭିତରୁ ଅଧିକାଂଶ ମଲ୍ଟିବାସିଲାରି ଲେପ୍ରସି (ଏମ୍ବି)ରେ ଆକ୍ରାନ୍ତ । ଏମାନଙ୍କଠାରେ ସଂକ୍ରମଣ ହାର ଅଧିକ । ଏଭଳି ଢଙ୍ଗରେ ଏମ୍ବି ଆକ୍ରାନ୍ତ ଚିହ୍ନଟ ହେଲେ, ଆଗକୁ ରାଜ୍ୟରେ ପ୍ରତିବର୍ଷ କୁଷ୍ଠ ରୋଗୀଙ୍କ ସଂଖ୍ୟା ଅଧିକ ଛୁଇଁପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ମାନଦଣ୍ଡ ଅନୁସାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧ରୁ କମ୍ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହେଲେ, ଏହା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ନୁହେଁ । ୨୦୧୦ ମସିହାରୁ ଓଡ଼ିଶା ଏକ କୁଷ୍ଠପ୍ରବଣ ରାଜ୍ୟ ଭାବେ ପରିଗଣିତ ହୋଇଆସୁଛି । ରାଜ୍ୟରେ କୁଷ୍ଠ ପ୍ରିଭେଲାନ୍ସ ରେଟ୍ ବା ବ୍ୟାପିବା ହାର ୧ରୁ ଅଧିକ ରହିଛି । ଆର୍ଥାତ୍ “ହୁ’ର ମାନଦଣ୍ଡ ଅନୁସାରେ ଓଡ଼ିଶା କୁଷ୍ଠମୁକ୍ତ ନୁହେଁ । ୨୦୧୮-୧୯ ମସିହାରେ ରାଜ୍ୟରେ ପ୍ରତିବର୍ଷ ୧୦ ହଜାରରୁ ଅଧିକ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୪-୨୫ରେ ଏହି ସଂଖ୍ୟା ୭ହଜାରରୁ ଅଧିକ ରହିଛି । ୨୦୧୮-୧୯ରେ ୧୦ହଜାର ୭୮୬, ୨୦୧୯-୨୦ରେ ୧୦ହଜାର ୭୭ ଜଣ କୁଷ୍ଠ ରୋଗୀ ଚିହ୍ନ ହୋଇଥିଲେ । ତେବେ ୨୦୨୦ ପରଠାରୁ ୨୦୨୪ ଯାଏଁ ଏହି ସଂଖ୍ୟା ୧୦ ହଜାର ତଳେ ରହିଥିଲା । ଉକ୍ତ ସମୟ ଅବଧି କୋରନା ପ୍ରାଦୁର୍ଭାବ ଯୋଗୁ ଚିହ୍ନଟରେ ବ୍ୟାଘାତ ହୋଇଥିବା ମଧ୍ୟ କୁହାଯାଉଛି । ୨୦୨୪- ୨୫ରେ ଓଡ଼ିଶାରେ ୩୯୫ଜଣ କୁଷ୍ଠରେ ଆକ୍ରାନ୍ତ ଶିଶୁ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟପାଇଁ ଚିନ୍ତା ବଢ଼ାଉଛି । ୨୦୧୩-୧୪ରେ କେନ୍ଦ୍ର ସରକାର ୪୦୪ କୁଷ୍ଠ ନିରାକରଣ ଅଧିକାରୀ ପଦବି ସହିତ ଅତିରିକ୍ତ ୧୮୪ ପଦବି ମଞ୍ଜୁର କରିଥିଲେ । ଅଧିକାଂଶ ପଦବି ଖାଲି ପଡ଼ିଛି । ରାଜ୍ୟରେ ୮୬ କୁଷ୍ଠ କଲୋନି, ୪ କୁଷ୍ଠ ଆଶ୍ରମ ଓ ୧୪ କୁଷ୍ଠ ଚିକିତ୍ସାଳୟ ଅତି ଦୟନୀୟ ଅବସ୍ଥାରେ ଚାଲିଛି । ତୃଣମୂଳ ସ୍ତରରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
