ଆଲ୍ଲାହାବାଦ : ଜଣେ ବିବାହିତ ବ୍ୟକ୍ତି ଜଣେ ବୟସ୍କା ମହିଳାଙ୍କ ସହ ସମ୍ମତିକ୍ରମେ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ଶୁକ୍ରବାର ଆଲ୍ଲାହାବାଦ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି । ବିଚାରପତି ଜେଜେ ମୁନିର ଓ ବିଚାରପତି ତରୁଣ ସକ୍ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ , ସାମାଜିକ ନୈତିକତା କେବେ ହେଲେ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା କ୍ଷେତ୍ରରେ କୋର୍ଟଙ୍କ କର୍ତ୍ତବ୍ୟକୁ ବାଧା ଦେଇପାରିବ ନାହିଁ । ଯଦି ଆଇନ ଅନୁଯାୟୀ କୌଣସି ଅପରାଧ ହୋଇନାହିଁ, ତେବେ ସାମାଜିକ ମତାମତ ଏବଂ ନୈତିକତା ଦ୍ୱାରା କୋର୍ଟଙ୍କ ନିଷ୍ପତ୍ତି ପରିଚାଳିତ ହେବ ନାହିଁ । ଉତ୍ତର ପ୍ରଦେଶର ଶାହାଜାହାନପୁରର ଏକ ଲିଭ୍-ଇନ୍ ଦମ୍ପତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଣେ ୧୮ ବର୍ଷିୟା ଯୁବତୀ ନିଜ ପରିବାରଠାରୁ ଜୀବନ ପ୍ରତି ବିପଦ ଥିବା ଏବଂ ”ଅନର କିଲିଂ”ର ଭୟ ଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ସେ ଜଣେ ବୟସ୍କା ଏବଂ ନିଜ ସ୍ୱଇଚ୍ଛାରେ ସେହି ବ୍ୟକ୍ତିଙ୍କ ସହ ରହୁଛନ୍ତି । ପୂର୍ବରୁ ଏନେଇ ଶାହାଜାହାନପୁର ପୁଲିସ୍ ଅଧୀକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଶାହାଜାହାନପୁର ଏସପିଙ୍କ ନିଷ୍କ୍ରିୟତା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ଏକାଠି ରହୁଥିବା ଦୁଇଜଣ ବୟସ୍କ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପୁଲିସ ର ପ୍ରାଥମିକ ଦାୟିତ୍ୱ ବୋଲି କହିଛନ୍ତି । ଏହାସହ ଜଣେ ନାଗରିକ ବିବାହିତ ହୁଅନ୍ତୁ ବା ଅବିବାହିତ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଇଁ ସମାନ । କେବଳ ବିବାହ କରିନାହାନ୍ତି ବୋଲି ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ହାଇକୋର୍ଟ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ପରିବାରର କୌଣସି ସଦସ୍ୟ ଦମ୍ପତିଙ୍କୁ ଶାରୀରିକ କ୍ଷତି ପହଞ୍ଚାଇ ପାରିବେ ନାହିଁ , ସେମାନଙ୍କ ଘରେ ପ୍ରବେଶ କରିପାରିବେ ନାହିଁ କିମ୍ବା ଫୋନ୍ ବା ସୋସିଆଲ ମିଡିଆ ଜରିଆରେ ସମ୍ପର୍କ କରିପାରିବେ ନାହିଁ । ଆବେଦନକାରୀଙ୍କ ସୁରକ୍ଷା ପାଇଁ ଶାହାଜାହାନପୁର ଏସପି ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
