ପୁରୀ: ଘରୋଇ ଗ୍ୟାସ ଯଥେଷ୍ଟ ପରିମାଣରେ ମହଜୁଦ ଅଛି । ଜିଲ୍ଲାରେ ଘରୋଇ ଗ୍ୟାସର ଅଭାବ ନାହିଁ । ଗ୍ୟାସ ସମସ୍ୟାକୁ ନେଇ ଭୟଭୀତ ହୁଅନ୍ତୁନି । ଖୋଦ ଜିଲ୍ଲାପାଳ ଏଭଳି ଆଶ୍ୱାସନା ଦେଉଛନ୍ତି । ହେଲେ ବାସ୍ତବ ସ୍ଥିତି ଅଲଗା । ଘରୋଇ ଗ୍ୟାସ ବୁକ୍ କରି ଦିନ ପରେ ଦିନ ଗଡୁଥିଲେ ମଧ୍ୟ ଗ୍ୟାସ ଘରେ ପହଞ୍ଚୁନି । ଏଜେନ୍ସି ନିକଟକୁ ଯାଇ ଗ୍ୟାସ ଆଣିବାକୁ ଚେଷ୍ଟା କଲେ ଏଜେନ୍ସି ଦୁଆରେ ତାଲା ପଡୁଛି । ଏଭଳି ସ୍ଥିତିରେ ସର୍ବାଧିକ ସମସ୍ୟା ଭୋଗୁଛନ୍ତି ବରିଷ୍ଠ ନାଗରିକ । ମୁକୁନ୍ଦ ମିଶ୍ର ନଗରରେ ରହୁଥିବା ୬୫ ବର୍ଷୀୟ ଗୀତାଞ୍ଜଳି ପ୍ରଧାନ ତାଙ୍କ ସ୍ୱାମୀଙ୍କ ସହ ରୁହନ୍ତି । ସେ ଗତ ମାର୍ଚ୍ଚ ୯ରୁ ଗ୍ୟାସ ବୁକ୍ କରି ତାଙ୍କର ମେମୋ ହୋଇଥିଲେ ମଧ୍ୟ ତାଙ୍କ ନିକଟରେ ଗ୍ୟାସ ପହଞ୍ଚି ପାରିନି । ସେ ସ୍ଥାନୀୟ ଗ୍ୟାସ ଏଜେନ୍ସି ମାଧ୍ୟମରେ ଗ୍ୟାସ ବୁକ୍ କରିଥିଲେ । ଗୀତାଞ୍ଜଳି ଅଭିଯୋଗ କରିଛନ୍ତି, ଘରେ ୨ ଜଣ ବୟସ୍କ ସଦସ୍ୟ ରହୁଥିବା ବେଳେ ଆଉ କେହି ନାହାନ୍ତି । ଏଭଳି ସ୍ଥିତିରେ ଗ୍ୟାସ ଯୋଗାଣକାରୀଙ୍କୁ ଫୋନ କରିବାରୁ ସେ ସନ୍ତୋଷଜନକ ଉତ୍ତର ନ ଦେଇ ଫୋନ କାଟି ଦେଉଛନ୍ତି । ଏଜେନ୍ସି ପାଖକୁ ଫୋନ କରିବାରୁ ଏଜେନ୍ସି ବାହାରେ ଫାଟକରେ ‘ଗ୍ୟାସ ଗାଡି ଆସିନାହିଁ, କାଲି ଆସିବ’ ଲେଖାଥିବା ପୋଷ୍ଟର ଝୁଲାଯାଇଛି । ଏଭଳି ସ୍ଥିତିରେ ଉଭୟ ଖୁବ ହଇରାଣ ହେଉଥିବା ସେ କହିଛନ୍ତି । କେବଳ ଗୀତାଞ୍ଜଳି ନୁହେଁ ସମାନ ଏଜେନ୍ସିରେ ଗ୍ୟାସ ବୁକ୍ କରିଥିବା ରାଜଶ୍ରୀ ସାହୁ ମଧ୍ୟ ସମାନ ସମସ୍ୟା ଭୋଗିଛନ୍ତି । ଗତ ଫେବ୍ରୁଆରୀ ୨୪ରୁ ଗ୍ୟାସ ବୁକ୍ କରି ମେମୋ ଆସିଥିଲେ ମଧ୍ୟ ତାଙ୍କ ନିକଟରେ ଏବେ ସୁଦ୍ଧା ଗ୍ୟାସ ପହଞ୍ଚିନି । ସେହିଭଳି ଅନ୍ୟ ଜଣେ ଗ୍ରାହକ ଦୀପ୍ତିପ୍ରଭା ସାହୁ ମଧ୍ୟ ପାଖାପାଖି ସପ୍ତାହେ ହେବ ଗ୍ୟାସ ବୁକ୍ କରିଥିଲେ ବି ଗ୍ୟାସ ପହଞ୍ଚିନି ।
