କଟକ: ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ସହ ସମାନ । ଯଦିଓ ଏଥିରେ ଚର୍ମକୁ ଚର୍ମ ସ୍ପର୍ଶ ହୋଇନି ତଥାପି ଏହାକୁ ଯୌନ ନିର୍ଯାତନା ଆଇନର ଅନ୍ତର୍ଭୁକ୍ତ କରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ନିମ୍ନ ଅଦାଲତଙ୍କ ଦ୍ୱାରା ୩ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଥିବା ଆସାମୀ ଅବିନାଶ ଦିଗଲ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ଜଣେ ନାବାଳିକା ତାଙ୍କ ପରିବାର ଲୋକଙ୍କ ସହ ରାଇକିଆରୁ ବସ୍ ଯୋଗେ ଜି. ଉଦୟଗିରି ଯାଉଥିଲେ । ବସ୍ଟି ଷ୍ଟାଣ୍ଡରେ ଛିଡ଼ା ହୋଇଥିଲାବେଳେ ଡାହାଣ ପାଶ୍ୱର୍ରେ ବସିଥିବା ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଆସାମୀ ଅବିନାଶ ଦିଗଲ ସ୍ପର୍ଶ କରି ଦୌଡ଼ି ପଳାଇଥିଲା । ନାବାଳିକା ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଅବନାଶକୁ ଘେରି ଯାଇଥିଲେ । ସେ ଧକ୍କା ମାରି ଯଦିଓ ଚାଲିଯାଇଥିଲା କିନ୍ତୁ ଲୋକେ ପୁଲିସକୁ ଖବର ଦେବା ପରେ ତାକୁ ଗିରଫ କରାଯାଇଥିଲା । ଏହି ମାମଲାର ଶୁଣାଣି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ହୋଇଥିଲା । ଅଦାଲତ ମାମଲାର ଶୁଣାଣି କରି ଆସାମୀ ଅବିନାଶକୁ ୩ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ୍ କରି ଅବିନାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଚର୍ମକୁ ଚର୍ମ ସ୍ପର୍ଶ କଲେ ଏହା ବଳାତ୍କାର ବୋଲି ଧରାଯାଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଜଣେ ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ଯୌନ ନିର୍ଯାତନା ଅନ୍ତର୍ଭୁକ୍ତ ହେବ ନାହିଁ । ଚର୍ମକୁ ଚର୍ମ ସ୍ପର୍ଶ କରିବା କଥାକୁ ବ୍ୟାପକ ଅର୍ଥରେ କୁହାଯାଇଛି । ଏଥିରେ ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ବା ସ୍ପର୍ଶ କରିବା ଯୌନ ନିର୍ଯାତନା ଆଇନ ଭିତରେ ଆସିବ । ତେଣୁ ନିମ୍ନ ଅଦାଲତ ଆସାମୀକୁ ଯେଉଁ ଦଫାରେ ଦଣ୍ଡିତ କରିଛନ୍ତି ତାହା ଗ୍ରହଣୀୟ ବୋଲି ହାଇକୋର୍ଟ ମତ ଦେଇଛନ୍ତି ।
