ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଗୁରୁବାର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ହୋଇଛି । ପୁଲିସ ଜାମିନ୍କୁ ବିରୋଧ କରିବା ସହ ତାଙ୍କ ବିରୋଧରେ ୨ଟି ମାମଲା ଥିବା କୋର୍ଟକୁ ଜଣାଇଥିଲେ। ପୁଲିସ ପକ୍ଷରୁ ଦିଆଯାଇଥିବା ପିଟିସନର ଉତ୍ତର ରଖିବା ପାଇଁ ବିକ୍ରମଙ୍କ ଓକିଲ ସମୟ ମାଗିଥିବାବେଳେ ଆସନ୍ତା ୯ ତାରିଖରେ ଜାମିନ୍ ଆବେଦନର ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ସେପଟେ ବ୍ରହ୍ମପୁର ଏଡିଜେ-୩ରେ ହତ୍ୟା ମାମଲାର ଶୁଣାଣି ହୋଇଛି । କୋର୍ଟରେ ସମସ୍ତ ତଥ୍ୟ, ସିଡିଆର୍, ଆଇପିଡିଆର ଏବଂ ଅନ୍ୟ କାଗଜାତ ଦାଖଲ କରିଛି ପୁଲିସ । ଅଭିଯୁକ୍ତଙ୍କ ଓକିଲଙ୍କୁ ଏହିସବୁ ତଥ୍ୟ ସହ ଚାର୍ଜସିଟ୍ କପି ଦିଆଯାଇଥିଲା । ବିକ୍ରମଙ୍କ ଆପତ୍ତିଜନକ ଫଟୋ, ଅଭିଯୁକ୍ତମାନେ ସହରରେ ବୁଲୁଥିବା ଭିଡିଓ ଏବଂ ଅନ୍ୟ ତଥ୍ୟ ରହିଥିବା ପେନ୍ଡ୍ରାଇଭ୍ ମଧ୍ୟ ପୁଲିସ କୋର୍ଟରେ ଦାଖଲ କରିଥିଲା । ଅଭିଯୁକ୍ତଙ୍କ ଓକିଲ ପେନ୍ଡ୍ରାଇଭରେ ସବୁ ତଥ୍ୟ ଅଛି କି ନାହିଁ ଯାଞ୍ଚ୍ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। କୋର୍ଟ ସଙ୍ଗେସଙ୍ଗେ ସେ ସବୁ ଯାଞ୍ଚ୍ କରିବାବେଳେ ଅନେକ ଫୋଲ୍ଡର ଖୋଲି ନ ଥିଲା । ଏଣୁ ଅଭିଯୁକ୍ତଙ୍କ ଓକିଲ ସେହି ପେନ୍ଡ୍ରାଇଭ୍ ଫେରାଇ ଦେଇଥିଲେ । ଆସନ୍ତା ୯ରେ ପୁଣି ଏହି ମାମଲାର ଶୁଣାଣି ହେବ । ସେଦିନ ପେନ୍ଡ୍ରାଇଭ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏକ ସମ୍ବେଦନଶୀଳ ହତ୍ୟା ମାମଲାରେ ପୁଲିସ ତଥ୍ୟ ଦାଖଲ କରିବାରେ ବିଳମ୍ବ କରୁଛି । ଏମିତିକି ପେନ୍ଡ୍ରାଇଭ୍ ଓ ଅନ୍ୟ ତଥ୍ୟ ଦେଉଛି, କିନ୍ତୁ କେତେବେଳେ ଅକ୍ଷର ଦିଶୁନାହିଁ ତ ଆଉ କେତେବେଳେ ପେନ୍ଡ୍ରାଇଭ୍ରେ ଫୋଲ୍ଡର ଓପନ୍ ହେଉନି ବୋଲି କହିଛନ୍ତି ଆଇନଜୀବୀ ଚକ୍ରପାଣି ନାହାକ । କର୍ପୋରେଟର ମଳୟ ବିଷୋୟୀ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିବା କହିଛନ୍ତି ଆଇନଜୀବୀ ଦୀପକ ପଟ୍ଟନାୟକ । ସେ କହିଛନ୍ତି ଯେ, ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ୍ ଆବେଦନ ହୋଇଛି । ଆସନ୍ତା ୭ରେ କୋର୍ଟ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ଏବେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଏମ୍କେସିଜି ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିବାବେଳେ ମଳୟ ବିଷୋୟୀ ଆଇସିୟୁରେ ଅଛନ୍ତି । ମଳୟ ପୂର୍ବରୁ ମଧ୍ୟ ଆଇସିୟୁରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କୁ ଗତ ୨୬ରେ ଡିସଚାର୍ଜ କରି ସିଧା ଜେଲ୍ ପଠାଯାଇଥିଲା । ୨୮ରେ ପୁଣି ଅସୁସ୍ଥ ହେବାରୁ ଜେଲ୍ରୁ ଏମ୍କେସିଜି ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଡାକ୍ତର କହିଛନ୍ତି । ଅନ୍ୟତମ ଅଭିଯୁକ୍ତ ବିଜେଡି ନେତା ମଦନ ଦଳେଇ ଅସୁସ୍ଥ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅସ୍ତ୍ରୋପଚାର ଆବଶ୍ୟକ ଥିବା ଡାକ୍ତର କହିଥିଲେ । ମଦନ ଅସ୍ତ୍ରୋପଚାର ପାଇଁ ରାଜି ହେଲେ ସେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇପାରନ୍ତି।
