ଭୁବନଶ୍ବେର: ବିଧାନସଭା ବଜେଟ୍ ଅଧିବେଶନ । ଆସନ୍ତା କାଲି ଗୃହରେ ଉପସ୍ଥାପନ ହେବ ବଜେଟ୍ । ହେଲେ ଏହା ପୂର୍ବରୁ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୨୫-୨୬ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଛନ୍ତି । ଏଥିରେ ଓଡ଼ିଶା ଅର୍ଥ ବ୍ୟବସ୍ଥାର ଆକାର ଓ ଆର୍ଥିକ ଅଭିବୃଦ୍ଧି ରହିଛି ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ ବର୍ତ୍ତମାନ ମୂଲ୍ୟର ଓଡ଼ିଶାର ଅର୍ଥନୀତି ଆକାର ବା ଜିଏସଡିପି ୨୦୨୫-୨୬କୁ ଆକଳନ କରାଯାଇଛି । ଏଥିରେ ଏହା ୯.୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅର୍ଥାତ୍ ୨୦୨୪-୨୫ର ୯ ଲକ୍ଷ କୋଟି ଟଙ୍କାଠାରୁ ୯.୫% ବୃଦ୍ଧି ପାଇଛି ।
୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ଯାହା ୨୦୨୪-୨୫ର ୭.୨ ପ୍ରତିଶତ ବୃଦ୍ଧି ହାରଠାରୁ ଅଧିକ। ଏହା ମଧ୍ୟ ଜାତୀୟ ସ୍ତରର ହାରାହାରି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଠାରୁ ଅଧିକ । ୨୦୨୫-୨୬ରେ ସମସ୍ତ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ହାର ଦେଖାଯାଇଛି ଏବଂ ରାଜ୍ୟରେ ସରାକରୀ ଓ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଉଥିବାରୁ ଆଗାମୀ ବର୍ଷ ଗୁଡ଼ିକରେ ରାଜ୍ୟ ଦ୍ରୁତ ଆର୍ଥିକ୍ ବୃଦ୍ଧି ପାଇଁ ପ୍ରସ୍ତୁତ ହେଉଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟର ଆକଳନ କରାଯାଇଛି ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ମୁଣ୍ଡ ପିଛା ଆୟ ଆକନ କରାଯାଇଛି । ୨୦୨୫-୨୬ ରେ ଓଡ଼ିଶା ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧.୮୬.୭୬୧ ଟଙ୍କାରେ ପହଞ୍ଚିଥିବାବେଳେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୬.୯ ପ୍ରତିଶତ ବୃଦ୍ଧି ପାଇଛି। ଓଡ଼ିଶା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁଁ ଜାତୀୟ ସ୍ତର ସହିତ ଥିବା ମୁଣ୍ଡପିଛା ଆୟର ତାରତମ୍ୟକୁ ଦ୍ରୁତ ଗତିରେ ହ୍ରାସ କରି ପାରିଛି।
