ନୂଆଦିଲ୍ଲୀ, ୧୮/୦୨ : ପୋକ୍ସୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାଇଜାମାର ନାଡା ଖୋଲିବା ଏବଂ ଛାତିକୁ ଛୁଇଁବା ହେଉଛି ଦୁଷ୍କର୍ମ ଉଦ୍ୟମ। ଆହ୍ଲାବାଦ ହାଇକୋର୍ଟଙ୍କ ବିବାଦୀୟ ରାୟକୁ ଭତ୍ସନା କଲେ ସର୍ବୋଚ୍ଚ ଅଦାଲତ। ସୂଚନାନୁଯାୟୀ, ୨୦୨୧ ନଭେମ୍ଵର ୧୦ରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ, ତାଙ୍କର ୧୪ ବର୍ଷର ନାବାଳିକା ଝିଅ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁର କିଛି ଯୁବକ ପବନ, ଆକାଶ ଏବଂ ଅଶୋକ ତାଙ୍କୁ ବାଇକ୍ ରେ ଘରେ ଛାଡ଼ିଦେବେ ବୋଲି କହିଲେ। ଏହାପରେ ୩ ଅଭିଯୁକ୍ତ ନାବାଳିକାଙ୍କ ସହ ଦୁର୍ବ୍ୟବହାର କଲେ। ତାଙ୍କ ପାଇଜାମା ନାଡା ଖୋଲି ଦୁଷ୍କର୍ମ ଉଦ୍ୟମ କଲେ। ନାବାଳିକା ଜଣଙ୍କ ପାଟି କରିବାରୁ ଦୁଇ ଜଣ ସ୍ଥାନୀୟ ଲୋକ ଧାଇଁ ଆସିଲେ। ଏହାପରେ ଅଭିଯୁକ୍ତମାନେ ସେଠାରୁ ଫେରାର୍ ହୋଇଗଲେ।
ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି କହିଥିଲେ ଯେ, ଜଣେ ଶିଶୁର ଛାତିକୁ ଛୁଇଁବା ଏବଂ ପାଇଜାମାର ନାଡା ଖୋଲିବା ଅର୍ଥ ଦୁଷ୍କର୍ମ ଉଦ୍ୟମ ନୁହେଁ, ଅଭିଯୁକ୍ତମାନେ କେବଳ ଦୁଷ୍କର୍ମ ପାଇଁ ପ୍ରସ୍ତୁତି କରୁଥିଲେ। ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିର ସ୍ୱତଃ ବିଚାର କରିଥିଲେ। ଫେବୃଆରୀ ୧୦ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗଚି ଏବଂ ଏନବି ଅଞ୍ଜାରିଆଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ POCSO ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଚାର କରିବାକୁ କହିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଯୌନ ଅପରାଧ ମାମଲାରେ ନିଷ୍ପତ୍ତି ନେବା ସମୟରେ ଆଇନ ଅନୁଯାୟୀ ତର୍କ ସହ ସହାନୁଭୂତି ଦରକାର। ଅଭିଯୁକ୍ତମାନେ ଦୁଷ୍କର୍ମ ଉଦ୍ୟମ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରୁଥିଲେ ବୋଲି, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଖାରଜ କରାଯାଉଛି ଏବଂ ୨୦୨୩ ଜୁନ୍ ୨୩ ତାରିଖରେ କାସଗଞ୍ଜର ସ୍ୱତନ୍ତ୍ର ବିଚାରପତି (POCSO)ଙ୍କ ମୂଳ ସମନ ଆଦେଶକୁ ପୁନଃସ୍ଥାପିତ କରାଯାଉଛି।
