କଟକ : କଟକ ସହରରେ ଟ୍ରାଫକ୍ ଯନ୍ତ୍ରଣା। ମୂଳ ଦାୟିତ୍ଵ ଭୁଲି ଫଟୋ ଉଠାରେ ମସଗୁଲ୍ ଟ୍ରାଫିକ୍ ପୁଲିସ। ଟାର୍ଗେଟ୍ ପୂରଣ କଲେ ମିଳୁଛି ସାବାସି ନହେଲେ ଗାଳି। ଆଉ ଗ୍ରୁପ୍ ରେ ୨୦ଟା ଫଟୋ ପକାଇଦେଲେ ଉପରିସ୍ଥ ଅଧିକାରୀ ଖୁସ୍। ତେଣୁ କଟକ କମିସନରେଟ୍ ଟ୍ରାଫିକ୍ ପୁଲିସ ସ୍ତରରେ ଏବେ ପ୍ରତିଯୋଗିତା ମୂଳକ ଚାଲାଣ କାଟିବା ପାଇଁ ଗାଡ଼ି ପଛପଟୁ ଫଟୋ ଉଠା ଚାଲିଛି । ଟ୍ରାଫିକ୍ କର୍ମଚାରୀମାନେ ମୂଳ ଦାୟିତ୍ୱ ଛାଡ଼ି ଗାଡ଼ି ନମ୍ବର ପ୍ଲେଟ୍ରୁ ଫଟୋ ଉଠାଇବା କାମରେ ରାସ୍ତାଘାଟରେ ଲାଗି ପଡ଼ିଛନ୍ତି । ଜରିମାନା ଆଦାୟ ବାବଦ ଚାଲାଣ କାଟିବା ପାଇଁ ପ୍ରତି କର୍ମଚାରୀଙ୍କ ଉପରେ ଟାର୍ଗେଟ୍ ଧାର୍ଯ୍ୟ ରହିଛି । କଟକ ସହରରେ ଟ୍ରାଫିକ୍ ପରିଚାଳନା ପାଇଁ ହାବିଲଦାରଙ୍କଠାରୁ କନଷ୍ଟେବଲ୍, ଓଏପିଏଫ୍, ହୋମଗାର୍ଡଙ୍କ ସ୍ତରରେ ୮ ଘଣ୍ଟିଆ ଡ୍ୟୁଟି ବଣ୍ଟା ଯାଇଛି। ବଜାର, ଛକରେ ଥିବା ଟ୍ରାଫିକ୍ ପୋଷ୍ଟରେ ଯାନବାହନ ନିୟନ୍ତ୍ରଣ କରିବା ପୁଲିସର ମୂଳ ଦାୟିତ୍ୱ । ମାତ୍ର କର୍ମଚାରୀମାନେ ମୂଳ କର୍ତ୍ତବ୍ୟ ପାଳନ ବଦଳରେ ଚାଲାଣ କାଟିବା ନିଶାରେ ପଡ଼ିଛନ୍ତି। ଟ୍ରାଫିକ୍ ଡ୍ୟୁଟି ପାଇଁ ରାସ୍ତାରେ ୮ ଘଣ୍ଟା ଠିଆ ହୋଇ ଖଟିବା ଅପେକ୍ଷା ଗୋଟିଏ ଦିନରେ ଜଣେ ଲେଖାଏଁ କର୍ମଚାରୀ ୨୦ଟି ଫଟୋ ଉଠାଇ ଗ୍ରୁପ୍ରେ ପକାଇ ଦେଲେ କାମ ସରିଲା। କିଏ କୁଆଡ଼େ ଗାଡ଼ି ଉପରେ ବସି ଗପସପ କଲେ ତାହା ଦେଖିବାକୁ କେହି ନାହିଁ । ଏହି ସମସ୍ୟା କଟକ କମିସନରେଟର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି । ରାଣୀହାଟ, ବାଦାମବାଡ଼ି, ଖାନନଗର, ସତୀଚଉରା, ମଙ୍ଗଳାବାଗ, ଓଏମ୍ପି ଛକ, ମଧୁପାଟଣା, ଚଣ୍ଡୀଛକ ଆଦି ଟ୍ରାଫିକ୍ ପୋଷ୍ଟ୍ ନିକଟରେ ଜଣେ ପୁଲିସ କର୍ମଚାରୀ ଡ୍ୟୁଟିରେ ରହୁଥିବା ବେଳେ ବାକି ଆଉ ଦୁଇ ଜଣ ମୋବାଇଲ୍ରେ ଫଟୋ ଉଠାଇବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଲକ୍ଷ୍ୟ ପୂରଣ ହୋଇଯିବା ପରେ କିଏ ଗାଡ଼ି ଉପରେ ବସି ଗପସପ ହେଉଛନ୍ତି ତ ଆଉ କିଛି କର୍ମଚାରୀ ପାଳି କରି ଫାଙ୍କା ମାରି ବୁଲୁଛନ୍ତି । ମୂଳ ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ୱକୁ ଭୁଲି ଯାଉଛନ୍ତି । ଫଳ: ସହରଯାକ ଟ୍ରାଫିକ୍ ବିପର୍ଯ୍ୟସ୍ତ । ସୂଚନାନୁସାରେ, କଟକ ସହର ଟ୍ରାଫିକ୍ ପରିଚାଳନାରେ ମଧୁପାଟଣା ଟ୍ରାଫିକ୍ ଥାନା ଅଧୀନରେ ୨୬ ଜଣ ହାବିଲଦାର୍, ୧୩୨ ଜଣ କନଷ୍ଟେବଲ, ୨୦ ଜଣ ଓଏପିଏଫ୍, ୨୭ ଜଣ ହୋମଗାର୍ଡ, ୧୦ ଜଣ ଏଏସ୍ଆଇ, ୨ ଜଣ ଏସିପି, ଜଣେ ଇନ୍ସପେକ୍ଟର ନିୟୋଜିତ ଅଛନ୍ତି । ଅଫିସରଙ୍କୁ ଛାଡ଼ି ଦେଲେ ଅନ୍ୟ କର୍ମଚାରୀମାନେ ସିଫ୍ଟ ଅନୁସାରେ ୮ ଘଣ୍ଟା ଅନ୍ତରରେ ଡ୍ୟୁଟି ବଣ୍ଟା ଯାଇଛି । ଗୋଟେ ସିଫ୍ଟ ସକାଳ ୭ ଟାରୁ ଅପରାହ୍ନ ୨ ଟା ଯାଏ ଡ୍ୟୁଟି କରୁଥିବା ବେଳେ ଦ୍ୱିତୀୟ ସିଫ୍ଟରେ ୨ ଟାରୁ ରାତି ୧୦ଟା ଯାଏ କିଏ କେଉଁଠି ଡ୍ୟୁଟି କରିବେ ତାହା ବଣ୍ଟା ଯାଇଛି । ପ୍ରତି କର୍ମଚାରୀମାନେ ଗ୍ରୁପ୍ରେ ଫଟୋ ଉଠାଇ ପକାଇବା ବାଧ୍ୟତାମୂଳକ ରଖାଯାଇଛି । ତେଣୁ ବଜାର, ଛକରେ ଯାନବାହନ ପରିଚାଳନା ଓ ଗହଳି ନିୟନ୍ତ୍ରଣ ଦାୟିତ୍ୱକୁ ପଛରେ ପକାଇ କର୍ମଚାରୀମାନେ ବାଇକ୍, ସ୍କୁଟର ଆରୋହୀ ଆଦି ଦୁଇ ଚକିଆ ଚାଳକଙ୍କଠାରୁ ଜରିମାନା ଚାଲାଣ କାଟିବାରେ ବ୍ୟସ୍ତ ରହୁଛନ୍ତି । କନଷ୍ଟେବଲଙ୍କଠାରୁ ଆରମ୍ଭ କରି ହୋମଗାର୍ଡଙ୍କ ପର୍ଯ୍ୟନ୍ତ ଡ୍ୟୁଟି ସମୟରେ ହାତରୁ ମୋବାଇଲ୍ ଖସୁନି । ରାସ୍ତାଘାଟରେ କେବେ ଖୋଲାମେଲାରେ ତ କେବେ ସବୁରି ଦୃଷ୍ଟି ଆଢ଼ୁଆଳରେ ରହି ମୋବାଇଲ୍ରେ ଫଟୋ ଉଠାଇବା ସହ ଗାଡ଼ି ଉପରେ ବସି ଖଟି କରୁଥିବା ଦେଖିବାକୁ ମିଳୁଛି । ଏ ଅବ୍ୟବସ୍ଥା ସଂପର୍କରେ ପ୍ରଶ୍ନ ପଚାରିଲେ ବିଭାଗର କୌଣସି ଅଧିକାରୀ କିନ୍ତୁ କିଛି କହିବାକୁ ନାରାଜ ।
