ଭୁବନେଶ୍ୱର : ୨୦୨୫ରେ ଦେଶର ୧୫ ପ୍ରମୁଖ ଟିୟର ୨ ସହରଗୁଡ଼ିକରେ ଘର ବିକ୍ରି ପ୍ରାୟ ୧୦% ଖସିଛି । ବିଶାଖାପାଟଣା, ଭୁବନେଶ୍ୱର ଏବଂ ଭଦୋଦରା ଭଳି ସହରଗୁଡ଼ିକ ଏହାଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି । ଭୁବନେଶ୍ୱରରେ ଘର ବିକ୍ରି ୨୫% ହ୍ରାସ ହୋଇଛି । ବିଶାଖାପାଟଣା ଏବଂ ଭଦୋଦରାରେ ଏହା ଯଥାକ୍ରମେ ୩୮% ଏବଂ ୧୯% ରହିଥିବା ପ୍ରପ୍ଇକ୍ୱିଟି ରିପୋର୍ଟରୁ ଜଣାପଡ଼ିଛି । ଏହାବାଦ ଭୁବନେଶ୍ୱରେ ନୂଆ ପ୍ରପର୍ଟି ଲଞ୍ଚ୍ ୫୭% କମିଯାଇଛି ।
ରିୟଲ ଇଷ୍ଟେଟ କ୍ଷେତ୍ରରେ ଗତ ଦଶନ୍ଧିରେ ଭୁବନେଶ୍ୱର ଦେଶର ଏକ ଚମକପ୍ରଦ ସ୍ଥାନ ଭାବେ ଉଭା ହୋଇଥିଲା । ସୁଲଭତା, ଦୃଢ଼ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ନିରନ୍ତର ଚାହିଦା ଯୋଗୁ ରାଜଧାନୀ ରିୟଲ ଇଷ୍ଟେଟ ନିବେଶର ଏକ ପେଣ୍ଠସ୍ଥଳ ପାଲଟିଥିଲା । ମାତ୍ର ଏବେ ସମୟରେ ପରିବର୍ତ୍ତନ ଆସିଛି । ଜମି ଦର ଏବଂ ନିର୍ମାଣ ଖର୍ଚ୍ଚ ବୃଦ୍ଧି ସହ ବିଳାସପୂର୍ଣ୍ଣ ପ୍ରପର୍ଟି କ୍ରୟ ଲାଗି ଗ୍ରାହକଙ୍କ ଆଗ୍ରହ ରହୁଛି । ମୋଟ୍ ଘର ବିକ୍ରିରେ ୧ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରପର୍ଟି ଅଂଶ ୯%ରୁ ୨୮%କୁ ବଢ଼ିଛି । ଅନ୍ୟପଟେ ଉଚ୍ଚ ମୂଲ୍ୟର ପ୍ରପର୍ଟି ଲାଗି ବିଲ୍ଡର ମନୋନିବେଶ କରୁଛନ୍ତି । ଫଳରେ ସୁଲଭ ଫ୍ଲାଟ ପ୍ରକଳ୍ପ ନିର୍ମାଣ ନେଇ ଆଗ୍ରହ ଦେଖାଯାଉନାହିଁ । ଭୁବନେଶ୍ୱରରେ ଆପାର୍ଟମେଣ୍ଟ ଗୁଡ଼ିକର ଆକାଶ ଛୁଆଁ ଦର ଘର ବିକ୍ରିରେ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ୧ କୋଟି ଟଙ୍କା ମଧ୍ୟରେ ବେଶି ଫ୍ଲାଟ ମିଳୁନି । ତେଣୁ ମଧ୍ୟବିତ୍ତଙ୍କ ଲାଗି ଘର କିଣା କଷ୍ଟକର ହୋଇଯାଇଛି । ବିଲ୍ଡର ଯୁକ୍ତି ବାଢ଼ୁଛନ୍ତି ଯେ, ଘର ତିଆରି ଖର୍ଚ୍ଚ ଏବଂ ଭିତ୍ତିଭୂମିରେ ନିବେଶ ବଢ଼ିବା ଯୋଗୁ ଆପାର୍ଟମେଣ୍ଟ ଦର ଉଚ୍ଚା ରହୁଛି । ଯାହା ଦୀର୍ଘମିଆଦି ଭିତ୍ତିରେ ଲାଭ ଦେବ । ମାତ୍ର ସୁଲଭ ବିକଳ୍ପ ନ ମିଳିବା ଯୋଗୁ ଲୋକେ ଘର କିଣିବାକୁ ଆଗ୍ରହୀ ହେଉ ନ ଥିବା ଦେଖାଯାଉଛି ।
ଅନ୍ୟପଟେ ରାଜ୍ୟର ରିୟଲ ଇଷ୍ଟେଟ କ୍ଷେତ୍ର ମଧ୍ୟ ବିଭିନ୍ନ ନିୟାମକ ସମସ୍ୟା ଦେଇ ଗତି କରୁଛି । କମନ୍ ଏରିଆ ପଞ୍ଜୀକରଣ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି, ରେରା ଆଇନ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିଫଳତା, ଘର କ୍ରେତାଙ୍କ ସ୍ୱାର୍ଥକୁ ପ୍ରମୋଟରଙ୍କ ନିରନ୍ତର ଅଣଦେଖା ଭଳି ପ୍ରମୁଖ ସମସ୍ୟା ଦେଇ ରିୟଲ ଇଷ୍ଟେଟ କ୍ଷେତ୍ର ଗତି କରୁଛି । ଯାହା ବିକ୍ରିକୁ ପ୍ରଭାବିତ କରିବା ସହ କ୍ଷେତ୍ରର ବିକାଶରେ ବାଧା ଉପୁଯାଉଛି । ରିୟଲ୍ ଇଷ୍ଟେଟ ବିଶେଷଜ୍ଞ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ଭୁବନେଶ୍ୱର ବଜାରରେ ପ୍ରତିଯୋଗିତା କମ୍ । ଜାତୀୟ ସ୍ତରର ବିଲ୍ଡର ଏତେଟା ଆସୁନାହାନ୍ତି। ଗ୍ରାହକଙ୍କୁ ଭଲ ଘର ଦେବା ଆଗ୍ରହ କମିଛି। ଜମି ପାଇବା ମଧ୍ୟ କଷ୍ଟକର । ସରକାରଙ୍କ ନୀତିଗତ ପଦକ୍ଷେପ କଡାକଡି ଭାବେ ଲାଗୁ ନ ହେବା ଯୋଗୁ ପ୍ରକଳ୍ପ ସାରିବା ଅବଧି ବଢ଼ିବା ସହ ମୂଲ୍ୟକୁ ଏହା ପ୍ରଭାବିତ କରୁଛି । ଅନ୍ୟ ପଟେ ମେଟ୍ରୋ ଭଳି ଦ୍ରୁତ ପରିବହନ ବ୍ୟବସ୍ଥା କାର୍ଯ୍ୟକାରି କରାଇବାରେ ବିଳମ୍ବ ଯୋଗୁ ମଧ୍ୟ ରିୟଲ ଇଷ୍ଟେଟ ନିବେଶକୁ ଏହା ପ୍ରଭାବିତ କରୁଛି । ଫଳରେ ଏହା ଦ୍ୱାରା ମୋଟାମୋଟି ଭାବେ ବଜାର ପ୍ରଭାବିତ ହେଉଛି ।
