ଭୁବନେଶ୍ୱର: ରାଜଧାନୀରେ ଉପର ମୁହାଁ ଅପରାଧ । ରାଜଧାନୀରେ ବେଧଡ଼କ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଦୁର୍ବୃତ୍ତ ଘଟାଇଛନ୍ତି ଆତଙ୍କ ରାଜ । ରାତି ଅଧରେ ପେଟ୍ରୋଲ ଢାଳି କାରରେ ଲଗାଇ ଦେଇଥିଲେ ନିଆଁ । ଜଳି ପୋଡି ପାଉଁଶ ହୋଇଛି କାର । ଏହାସହ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋ ମଧ୍ୟ ପୋଡି ଯାଇଛି । ଘଟଣା ସ୍ଥଳରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଗାଡି ମାଲିକଙ୍କ ବୟାନ ରେକର୍ଡ କରିଛି ପୋଲିସ । ରାଜଧାନୀରେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜାନୁଆରୀ ୧ ତାରିଖ ନୟାପଲି ନୁଆସାହି ଅଞ୍ଚଳରେ ତ୍ରିକୋଣୀୟ ପ୍ରେମ ପାଇଁ ଯୋଗେନ୍ଦ୍ର ଦାସ ଓରଫ ବବୁଲୁ ଙ୍କୁ ଘର ସାମ୍ନା ରେ ସଙ୍ଘବଦ୍ଧ ଆକ୍ରମଣ କରି ହତ୍ୟା କରିଥିଲେ । ଜାନୁଆରୀ ୧୦ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳରେ ହତ୍ୟା ଅଭିଯୁକ୍ତ ମାନେ ଖଣ୍ଡାରେ କେକ୍ କାଟି ଜନ୍ମ ଦିନ ପାଳିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଜାନୁଆରୀ ୧୭ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଯାହାକୁ ନେଇ ଧାରଣାରେ ବସିଥିଲେ ଜୁନିୟର ଡାକ୍ତର ସଙ୍ଘ । ଜାନୁଆରୀ ୨୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଛକରେ ବୁଲେଟ ଚାଳକଙ୍କୁ ଥର୍ ଗାଡି ଧକା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଜାନୁଆରି ୨୩ ତାରିଖ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଗାଡି ହେଡ଼ ଲାଇଟ ମରାକୁ କେନ୍ଦ୍ର କରି ଘଟିଥିଲା ଗୋଷ୍ଠୀ ସଂଘର୍ଷ । ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁ ଲୁହାଣ କରି ପକାଇଥିଲେ । ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ କଲୋନୀ ଅଞ୍ଚଳରେ ବୋମା ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା । କୁଖ୍ୟାତ ଅପରାଧୀ ମଫି ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାର ଏନ୍ଆଇଏ ଖୋଳତାଡ଼ କରିଥିଲା । ଫେବୃଆରୀ ୯ ତାରିଖରେ ତ୍ରିକୋଣୀୟ ପ୍ରେମ ପାଇଁ ପ୍ରେମିକା ସାମ୍ନାରେ ଦ୍ୱିତୀୟ ପ୍ରେମିକକୁ ଛୁରୀ ଭୁସି ହତ୍ୟା କରିଥିଲା ପ୍ରଥମ ପ୍ରେମିକ । ରାଜଧାନୀରେ ଅପରାଧ ବୃଦ୍ଧିକୁ ନେଇ ବଢ଼ିଛି ରାଜଧାନୀବାସୀଙ୍କ ଚିନ୍ତା । ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହ ଅପରାଧୀଙ୍କ ଗତିବିଧି ଉପରେ କମିଶନରେଟ ପୋଲିସ କଡ଼ା ନଜର ରଖିବାକୁ ଦାବି କରିଛନ୍ତି ଲୋକେ ।
