ଭୁବନେଶ୍ୱର, ୧୦/୦୨: ଦ୍ରୁତ ଗତିରେ ଗାଡି ଚାଳନା ଓ ବିନା ସିଟ୍ ବେଲ୍ଟ ଲଗାଇ ଗାଡି ଚାଳନାକୁ ଜଗିବା ସହିତ ଉଲ୍ଲଂଘନକାରୀଙ୍କୁ ଜରିମାନା କରିବା ପାଇଁ ପରିବହନ ବିଭାଗ ଇଣ୍ଟରସେପ୍ଟର ବ୍ୟବହାର କରୁଛି । ତେବେ ଏହି ଗାଡି ଦାୟିତ୍ୱରେ ଥିବା ମେସିନ ପରିଚାଳକ ଗାଡି ଚାଳକମାନଙ୍କୁ ମନଇଚ୍ଛା ଜରିମାନା କରୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯିବା ଆସିବା କରୁଥିବା ଗାଡି ଚାଳକ ମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ତେ୍ୱ ନଥିବା ଦର୍ଶାଇ ଜରିମାନା କରାଯାଉଛି । ଫଳରେ ଲୋକେ ପରିବହନ କାର୍ଯ୍ୟାଳୟ ଯାଇ ହଇରାଣ ହରକତ ହେଉଛନ୍ତି । ସୂଚନା ଅନୁସାରେ ରାସ୍ତାରେ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟ ନେଇ ଦ୍ରୁତ ଗତିରେ ଚଳାଚଳ କରୁଥିବା ଗାଡି ମୋଟର ଓ ସିଟ ବେଲ୍ଟ ବ୍ୟବହାର ନ କରି ଗାଡି ଚାଳନା କରୁଥିବା ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବହନ ବିଭାଗ ରାସ୍ତାରେ ଇଣ୍ଟରସେପ୍ଟର ଗାଡି ନିୟୋଜିତ କରିଛି । ଏହି ଗାଡିରେ ଥିବା କ୍ୟାମେରା ଓ ଅତ୍ୟାଧୁନିକ ମେସିନ ସହାୟତାରେ ରାସ୍ତାରେ ଚଳାଚଳ କରୁଥିବା ଯାନ ବାହାନର ଗତି ମପାଯାଇଥାଏ । ସମ୍ପୃକ୍ତ ରାସ୍ତାରେ ଧାର୍ଯ୍ୟ ଗତିରୁ ଅଧିକ ଗତିରେ ଯାନ ବାହାନ ଚଳାଚଳ କରୁଥିଲେ ଗାଡି ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଦୃଶ ଜରିମାନା ଆଦାୟ କରାଯାଉଛି । ସେଭଳି ଏହି ଚାଳକଙ୍କୁ ବିନା ଯାଞ୍ଚ କରି ଡ୍ରାଇଭିଂ ଲାଇସେନ୍ସ ନଥିବା ଦର୍ଶାଇ ଜରିମାନା ଆଦାୟ ହେଉଛି । ଜରିମାନା ପରେ ଚାଳକ ମାନେ ଆଶ୍ଚର୍ଯ୍ୟ ହେବା ସହିତ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାକୁ କୁହାଯାଉଛି । ପରେ ଡ୍ରାଇଭିଂ ଲାଇସେନ୍ସ ବାବଦକୁ ଥିବା ଜରିମାନା ହଟାଇ ଦିଆଯାଉଛି । ୩ ମାସ ପର୍ଯ୍ୟନ୍ତ ଚାଳକଙ୍କ ସେହି ଡ୍ରାଇଭିଂଲାଇସେନ୍ସକୁ ବାତିଲ ମଧ୍ୟ କରାଯାଉଛି । ଯାହାକୁ ନେଇ ଚାଳକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ପୁରୀ ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ମନୋଜ ପଟ୍ଟନାୟକ କହନ୍ତି ନିକଟରେ ସେ ବାଇକ ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଏହି ସମୟରେ ସେ ଦ୍ରୁତ ଗତିରେ ଗାଡି ଚଲାଉଥିବା ଏବଂ ବିନା ଲାଇସେନ୍ସରେ ଗାଡି ଚଲାଉଥିବା ନେଇ ଏକ ମେସେଜ ତାଙ୍କ ମୋବାଇଳକୁ ଆସିଥିଲା । ତାଙ୍କ ପାଖରେ ଲାଇସେନ୍ସ ଥିବା ବେଳେ ସେ ତୁରନ୍ତ ଭୁବନେଶ୍ୱର-୧ ଆରଟିଓ ଅଫିସକୁ ଆସି ଏନେଇ ଜଣାଇଥିଲେ । ସେଠାରେ ତାଙ୍କ ଲାଇସେନ୍ସର ଏକ ନକଲ ରଖି ସେ ବାବଦକୁ ଥିବା ଜରିମାନା କ୍ଷମା କରାଯାଇଥିଲା ତେବେ ଦ୍ରୁତଗତି ଯାତ୍ରା ବାବଦକୁ କିନ୍ତୁ ଜରିମାନା ପୈଠ କରିବାକୁ ତାଙ୍କୁ କୁହାଯାଇଥିଲା । ଜରିମାନା ରାଶି ପୈଠ କରି ସେ ଫେରିଥିଲେ । ହେଲେ ଏହାରି ଭିତରେ ତାଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଆରଟିଓ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଉପରୋକ୍ତ ପ୍ରସଙ୍ଗ ଓ ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର-୧ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭାଶିଷ ଦାସଙ୍କ ସହିତ ଆଲୋଚନା କରିବାରୁ ଦ୍ରୁତ ଗତିରେ ଯାଉଥିଲେ ଇଣ୍ଟରସେପ୍ଟର ଏଭଳି ହିଁ ଜରିମାନା କରୁଛି । ଏହା କେନ୍ଦ୍ର ପରିବହନ ବିଭାଗର ନିୟମ ବୋଲି କହିଛନ୍ତି ।
