ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି । ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ । ସେ କହିଥିଲେ, “ମୋତେ କହିବାକୁ ଦିଅ ।” ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ । ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରେ ୩ଟା ପରେ ଗୃହ କାର୍ଯ୍ୟ ପୁର୍ନବାର ଚାଲିଥିଲା । କିନ୍ତୁ ପରେ ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ । ଏବଂ ଲୋକସଭା ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
