ଲାଠିକଟା: କାମ ହେବ । କିନ୍ତୁ ପ୍ରତିବଦଳରେ ଦରକାର ଗଞ୍ଜା । ଏଭଳି ଅଜବ ଦାବି କରୁଛନ୍ତି ସରକାରୀ ଅଧିକାରୀ । ଲାଞ୍ଚ ନ ଦେଲେ କୌଣସି କାମ ହେଉନାହିଁ । ହକ୍ରୁ ବଞ୍ଚିତ ହେଉଥିବା ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକବାସୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଲାଞ୍ଚୁଆ ଅଧିକାରୀଙ୍କୁ ସାବାଡ଼ କରିବାକୁ ସେମାନେ ଅଭିନବ ପ୍ରତିବାଦ କରିଛନ୍ତି । ବ୍ଲକ ଅନ୍ତର୍ଗତ ୧୮ ପଞ୍ଚାୟତର ଲୋକେ କୁକୁଡ଼ା ଧରି ଶୁକ୍ରବାର ତହସିଲ୍ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାଏକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଅଭିଯୋଗ ଅନୁଯାୟୀ, ବ୍ଲକର ୧୮ ପଞ୍ଚାୟତରେ ଜମିବାଡ଼ି ସମ୍ପର୍କିତ ସମସ୍ୟା ସମାଧାନରେ ଅହେତୁକ ବିଳମ୍ବ ହେଉଛି । ପ୍ରମାଣପତ୍ର, ପଟ୍ଟା ପ୍ରଦାନରେ ତହସିଲ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି । ବିଭିନ୍ନ ପଞ୍ଚାୟତର ଭୂମିହୀନଙ୍କୁ ୪ ଡିସିମିଲ ଜମି ପଟ୍ଟା ମିଳିଛି । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଜାଗା ଚିହ୍ନଟ କରାଯାଉ ନାହିଁ କି ପଟ୍ଟାର ନକଲ ମିଳୁ ନାହିଁ। ଲୋକେ ଘର ନିର୍ମାଣ କରିପାରୁନାହାନ୍ତି । ଜାତିଗତ ପ୍ରମାଣପତ୍ର ମିଳିବାରେ ବିଳମ୍ବ କାରଣରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଭାବିତ ହେଉଛି । ସୁଇଡିହି ପଞ୍ଚାୟତର ଦିବ୍ୟାଙ୍ଗ ରବି ତନ୍ତୀଙ୍କୁ ୪ ଡିସିମିଲ୍ ଜମିପଟ୍ଟା ମିଳିଛି । ପ୍ରଶାସନ ପକ୍ଷରୁ ତାଙ୍କୁ ବ୍ୟାଟେରି ଗାଡ଼ି ଏବଂ ଆବାସ ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ମିଳିଥିଲା । ଏଯାଏ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ସେ ହିନସ୍ତା ହେଉଛନ୍ତି । ରାଜ୍ୟ ସରକାର ପାଣିରେ ବୁଡ଼ି ମୃତକଙ୍କ ପରିବାର ପାଇଁ ସହାୟତା ରାଶି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଆବେଦନ କରିବା ସତ୍ତେ୍ୱ ଅନେକ ମୃତକଙ୍କ ପରିବାକୁ ସହାୟତା ରାଶି ମିଳୁନାହିଁ । ଜମି ମ୍ୟୁଟେସନ ମାମଲାରେ ଡିମାର୍କେସନ କରାଯାଉନାହିଁ । ବଡ଼ଦେଲକି ପଞ୍ଚାୟତରେ ରାସ୍ତା ପାଇଁ ବିଡିଓଙ୍କଠାରୁ ଅନୁମୋଦନ ମିଳିଛି । ସରପଞ୍ଚ କାର୍ଯ୍ୟ ଆଗେଇବାକୁ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ତାହା ହେଉନାହିଁ । କାର୍ଯ୍ୟାଳୟକୁ ଅଧିକାରୀମାନେ ମନମର୍ଜିରେ ଆସୁଛନ୍ତି । ଫଳରେ ଦୂରାଦୁରାନ୍ତରୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ହିତାଧିକାରୀ ଅପେକ୍ଷା କରି ନୟାନ୍ତ ହେଉଛନ୍ତି । ତହସିଲ୍ କାର୍ଯ୍ୟାଳୟ ପରିସରରେ ସର୍ବସାଧାରଣ ବ୍ୟବହାର କରିବା ପାଇଁ ଶୌଚାଳୟ ବ୍ୟବସ୍ଥା ନାହିଁ । ଏଭଳି ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉତ୍ତ୍ୟକ୍ତ ଲୋକେ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେତେଜଣ ବ୍ୟକ୍ତି କୁକୁଡ଼ା ଧରି ଅଭିନବ ପ୍ରତିବାଦ କରିଥିଲେ । ତହସିଲଦାରଙ୍କ ଅନୁପସ୍ଥିତିରେ ଅନ୍ୟ ଅଧିକାରୀଙ୍କୁ ଅଟକାଇ ରଖିଥିଲେ । ଲାଠିକଟା ଥାନାଧିକାରୀ ବିକ୍ରମ କୁମାର ଭୂୟାଁ, ଏସ୍ଡିଓ ମନୋରଞ୍ଜନ ପ୍ରଧାନ, ପ୍ରାଶାସନିକ ଅଧିକାରୀ ହରେକୃଷ୍ଣ ସାହୁ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ । ଅପରାହ୍ଣ ପ୍ରାୟ ୩ଟାରେ ରଘୁନାଥପାଲି ବିଧାୟକ ଶ୍ରୀ ତନ୍ତୀ ଓ ପାନପୋଷ ଉପଜିଲ୍ଲାପାଳ ପହଞ୍ଚି ସମସ୍ୟା ଶୁଣିଥିଲେ। ୧୫ ଦିନ ମଧ୍ୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେବ । ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା ।
