ବାଲେଶ୍ୱର: ଫସଲ ବୀମା ଯୋଜନା ଅଧୀନରେ ୧୯.୮୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ଆତ୍ମସାତ୍ କରିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୋଗରାଇ ବ୍ଲକ ଅନ୍ତର୍ଗତ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁବଳ କୁମାର ସାହୁଙ୍କୁ ଗୁରୁବାର ଗିରଫ କରାଯାଇଛି । ଶ୍ରୀ ସାହୁ ୨୦୧୪-୧୫ ଆର୍ଥିକ ବର୍ଷରେ ସରକାରୀ ରେକର୍ଡର ହେରଫେର କରି ଫସଲ ବୀମା ଅଧୀନରେ ୧୯ ଲକ୍ଷ ୮୦ ହଜାର ୨୫୫ ଟଙ୍କା ଆତ୍ମସାତ୍ କରିଥିଲେ । ଏନେଇ ଅଭିଯୋଗ ଆସିବା ପରେ ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ପିଏସ୍ କେସ୍ ନଂ- ୩/୨୦୨୬(ଧାରା ୧୩(୨)ୟୁ/ଏସ୍ ୧୩(୨)ଆର/ଡବ୍ଳ୍ୟୁ୧୩(୧)(ଏ) ପିସି (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ପଞ୍ଜୀକୃତ ହୋଇଥିଲା । ପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଶ୍ରୀ ସାହୁ ସରକାରୀ ଅର୍ଥ ଆତ୍ମସାତ୍ କରିଥିବାର ସମସ୍ତ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ବାଲେଶ୍ୱରର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯାଇଛି ।
