ରାଉରକେଲା/ଭୁବନେଶ୍ବର: ଆମ ସରକାରଙ୍କ ନୀତି-ଭିତ୍ତିକ ଆଭିମୁଖ୍ୟ ଓଡ଼ିଶାରେ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ସହ ଏକ ସୁଦୃଢ଼ ଶିଳ୍ପ ପରିବେଶ ସୃଷ୍ଟି କରିବା ପାଇଁ ସଂକଳ୍ପବଦ୍ଧ। ଆଜି ରାଉରକେଲାଠାରେ ଆୟୋଜିତ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପଦ୍ୟୋଗୀ ଓ ଅଂଶୀଦାରମାନଙ୍କ ସହ ସକାରାତ୍ମକ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ୩୫,୮୮୦ କୋଟି ଟଙ୍କା ମୂଲ୍ୟର ୨୩ଟି ନୂଆ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ୧୧,୮୪୪ ରୁ ଅଧିକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟର କୋଣ ଅନୁକୋଣରେ ଏକ ଅନ୍ତର୍ଭୁକ୍ତିକରଣ ଶିଳ୍ପ ଅଭିବୃଦ୍ଧି ସୁନିଶ୍ଚିତ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଓଡ଼ିଶାକୁ ଦେଶର ଶିଳ୍ପ ହବ୍ ଭାବେ ଗଢ଼ିତୋଳିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ।
