କୋଲକାତା : ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଓ ଏନ୍ସିପିର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ବୁଧବାର ସକାଳେ ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପୁନେ ଜିଲ୍ଲା ବାରାମତୀରେ ଘଟିଛି,ଯେତେବେଳେ ତାଙ୍କର ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ଅଜିତଙ୍କ ମୃତ୍ୟୁ ଖବର ପୁରାଦେଶର ରାଜନୀତିକୁ ଶୋକରେ ବୁଡାଇ ଦେଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିମାନ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ତଦାରଖରେ ଯାଞ୍ଚ ଦାବି କରିଛନ୍ତି। ସେ ଘଟଣା ଉପରେ ଶୋକ ବ୍ୟକ୍ତ କରି ସମ୍ଭାବିତ ଷଡଯନ୍ତ୍ର ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣମାଧ୍ୟମ ସହ କଥା ହୋଇ ମମତା କହିଛନ୍ତି, ଏହି ଖବର ଶୁଣି ମୁଁ ସ୍ତବ୍ଧ। ଏହା ଦେଶ ପାଇଁ ବଡ଼ କ୍ଷତି। ସେ ଦାବୀ କରିଛନ୍ତି ରାଜନୈତିକ ନେତୃତ୍ବଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପ୍ରସାରିତ ସେହି ବୟାନକୁ ମଧ୍ୟ ଆଲୋଚନା କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଅଜିତ ପାଓ୍ବାର ବିଜେପି ଛାଡିବା ଉପରେ ବିଚାର କରୁଥିଲେ। ତେଣୁ କାହା ଉପରେ ବିଶ୍ୱାସ କରିହେବନି। ମମତା ସଙ୍କେତ ଦେଇଛନ୍ତି, ଅଜିତ ପାଓ୍ବାର ମହାୟୁତି ମେଣ୍ଟଠାରୁ ଦୂରତ୍ବ ବଜାୟ ରଖିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ଏହି ଦୁର୍ଘଟଣା ପଛରେ କୌଣସି ଷଡଯନ୍ତ୍ର ରହିପାରେ। ଆଜି ଯାହା ହୋଇଛି, ତାହା ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି। ସୁପ୍ରିମକୋର୍ଟଙ୍କ ଦେଖାଶୁଣାରେ ବିଶ୍ବାସନୀୟ ଢଙ୍ଗରେ ଏହାର ତଦନ୍ତ ହେଉ। ଆମେ କେବଳ ସୁପ୍ରିମକୋର୍ଟ ଉପରେ ଭରସା ରଖିପାରିବୁ, ଅନ୍ୟ କୌଣସି ତଦନ୍ତକାରୀ ଏଜେନ୍ସି ଉପରେ ନୁହେଁ। ସେ ଅଭିଯୋଗ କରିଛନ୍ତି, ତଦନ୍ତକାରୀ ଏଜେନ୍ସିର ସ୍ବାଧିନତା ପ୍ରଭାବିତ ହୋଇଛି। ଏହା ପୂର୍ବରୁ ମମତା ‘ଏକ୍ସ’ରେ ଅଜିତ ପାଓ୍ବାରଙ୍କ ମୃତ୍ୟୁ ନେଇ ସମବେଦନା ବ୍ୟକ୍ତ କରିଥିଲେ। ସେ କହିଥିଲେ ଦୁର୍ଘଟଣାର ଉଚିତ ଯାଞ୍ଚ କରାଯାଉ। ଅଜିତଙ୍କ ପରିବାର,ତାଙ୍କର ଦାଦା ଶରଦ ପାଓ୍ବାର ତଥା ତାଙ୍କ ସବୁ ମିତ୍ର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ରହିଛି।’
