ପୁରୀ : ଆକ୍ସନ ମୋଡ୍ରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ । ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ୧ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶଜାରି କରାଯାଇଛି । ଜାନୁଆରୀ ମାସର ଦରମା ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପାଢୀ । ଶ୍ରୀ ପାଢ଼ୀଙ୍କ କହିବାନୁଯାୟୀ, ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବା ଓ ହଠାତ୍ ଏକ ସାପ କାମଡ଼ିଲେ କିପରି ପ୍ରାଥମିକ ଚିକିତ୍ସା ହୋଇପାରିବ ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ବଜ୍ରପାତ ସଚେତନ ଲାଗି ପ୍ରତ୍ୟେକ ବିଦ୍ୟାଳୟକୁ ୨ ହଜାର ଟଙ୍କା ଓ ସାପକାମୁଡ଼ା ସଚେତନତା ପାଇଁ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ୨୦୨୫ ମସିହା ଅତିକ୍ରମ କରାଯାଇଥିଲେ ସୁଦ୍ଧା ଜିଲ୍ଲାରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମରେ କରିଥିବା ଖର୍ଚ୍ଚର ହିସାବ(ୟୁସି)ଦେଇନଥିବା ୩୮ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି । ଏଥିରେ ବ୍ରହ୍ମଗିରି ବ୍ଲକ୍ର ୧ଟି ବିଦ୍ୟାଳୟ, ଡେଲାଙ୍ଗର ୩ଟି, ଗୋପର ୭ଟି, କଣାସର ୬ଟି, କାକଟପୁରର ୨ଟି, କୃଷ୍ଣପ୍ରସାଦର ୨ଟି, ନିମାପଡାର ୭ଟି, ପୁରୀ ସଦର ବ୍ଲକ୍ର ୯ଟି ଓ ସତ୍ୟବାଦୀ ବ୍ଲକ୍ର ଗୋଟିଏ ବିଦ୍ୟାଳୟ ରହିଛି । ସେହିଭଳି ସାପକାମୁଡା ଲାଗି ସଚେତନ କାର୍ଯ୍ୟକ୍ରମର (ୟୁସି) ଦେଇନଥିବା ୩୪ ଜଣ ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି । ଡେଲାଙ୍ଗ ବ୍ଲକ୍ର ଗୋଟିଏ ବିଦ୍ୟାଳୟ, ଗୋପ ବ୍ଲକ୍ର ୪ଟି, କାକଟପୁରର ୫ଟି, କଣାସର ୫ଟି, କୃଷ୍ଣପ୍ରସାଦର ୩ଟି, ନିମାପଡ଼ାର ୭ଟି, ପିପିଲିର ଗୋଟିଏ ଓ ପୁରୀ ସଦର ବ୍ଳକ୍ର ୮ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି ।
