ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭାରତର ନିର୍ବାଚନ ଆୟୋଗ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତୁତି ପାଇଁ ଚିଠି ଲେଖିଛନ୍ତି । ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧାନସଭା ସଚିବାଳୟକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଚିଠିରେ କୁହାଯାଇଛି, ରାଜ୍ୟସଭାରେ ୨୦୨୬ ଏପ୍ରିଲରେ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଯୋଗୁଁ ୧୦ଟି ରାଜ୍ୟରୁ ମୋଟ୍ ୩୭ଟି ଆସନ ଖାଲି ହେବ । ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡ଼ୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି । ତେଣୁ ଏହି ନିର୍ବାଚନ ପ୍ରକ୍ରିୟା ପାଇଁ ରିଟର୍ଣ୍ଣିଂ ଅଫିସର ଏବଂ ସହାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିଯୁକ୍ତି ପାଇଁ ପ୍ରସ୍ତାବ ମାଗାଯାଇଛି । ଅଧିକାରୀମାନଙ୍କ ଟେଲିଫୋନ୍ ନମ୍ବର, ମୋବାଇଲ୍ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇ-ମେଲ୍ ଆଇଡି ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏହା ସହିତ ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟବହାର ହେବାକୁ ଥିବା ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେବାକୁ କୁହାଯାଇଛି ।
