ଭୁବନେଶ୍ୱର : ସୁରକ୍ଷିତ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷ ପାଳନ ପାଇଁ ପୁଲିସ ବ୍ଲୁ ପ୍ରିଣ୍ଟ ତିଆରି କରିଛି । ସହରକୁ ୧୫ ପ୍ଲାଟୁନ୍ ଫୋର୍ସ ଜଗିବ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ ଆଉ ବ୍ଲକିଂ ଚାଲିବ । ମଦ୍ୟପଙ୍କୁ ନିସ୍ତାର ମିଳିବନି । ସହରର ବଛା ବଛା ୧୮ଟି ସ୍ଥାନରେ ଚେକ୍ ପୋଷ୍ଟ (ନାକା) ମଦ୍ୟପମାନଙ୍କୁ ଜଗିବ ପୁଲିସ । ୫ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୩୦ଜଣ ଇନ୍ସପେକ୍ଟର ଓ ୯୬ଜଣ ଏସ୍ଆଇ/ଏଏସଆଇ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ। ଜିରୋ ନାଇଟ୍ ପାଇଁ ସନ୍ଧ୍ୟା ୭ଟାରୁ ପାଟ୍ରୋଲିଂ ଜୋରଦାର କରାଯିବ । ୩ଜଣ ଅତିରିକ୍ତ ଡିସିପି, ୫ଜଣ ଏସିପି, ୨୪ଜଣ ସବ୍ଇନ୍ସପେକ୍ଟର ଓ ଅତିରିକ୍ତ ସବ୍ଇନ୍ସପେକ୍ଟର ସୁରକ୍ଷାର ତଦାରଖ କରିବେ । ମାଷ୍ଟରକ୍ୟାଣ୍ଟିନ୍, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ସହ କିଟ୍ ଛକରେ ୫ଟି କୁଇକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ନିୟୋଜିତ ହେବେ । ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ନାଲ୍କୋ ଛକରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ଜଗିବେ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ରହିବ ।
ନନ୍ଦନକାନନ ରାସ୍ତାର କିଟ୍ ଛକ, ତନିସ୍କ କଟ୍ ପଏଣ୍ଟଠାରେ ପୁଲିସ ମଦ୍ୟପଙ୍କୁ ଜଗି ରହିଥିଲା । ବ୍ରେଥ୍ ଆନାଲାଇଜର ମେସିନ୍ ଯୋଗେ ମଦ୍ୟପଙ୍କୁ ଯାଞ୍ଚ କରୁଛି ପୁଲିସ । ଶନିବାର ରାତିରେ ୫୧ଟି ଜାଗାରେ ମଦ୍ୟପ ଚାଳକଙ୍କୁ ଅଟକାଇ ଜରିମାନା କଷିଛି । ନୂଆବର୍ଷରେ ନନ୍ଦନକାନନ, ଡେରାସ, ଝୁମୁକା, ଧଉଳି, ଶ୍ରୀଲିଙ୍ଗରାଜ, ଖଣ୍ଡଗିରି ଓ ଶିଖରଚଣ୍ଡୀ ଭଳି ପର୍ଯ୍ୟଟନସ୍ଥଳୀ ଓ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ନନ୍ଦନକାନନରେ ୨ ତାରିଖ ଓ ଅନ୍ୟ ପର୍ଯ୍ୟଟନସ୍ଥଳୀରେ ୫ ତାରିଖ ଯାଏଁ ପୁଲିସ ଫୋର୍ସ ମୁତାୟନ କରାଯିବ । ନିକୋ ପାର୍କ, ବଟାନିକାଲ ଗାର୍ଡେନ, ନନ୍ଦନକାନନ, ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଇମ୍ଫା ପାର୍କ, ନେହରୁ ପାର୍କ, ଜଗଜୀବନ ପାର୍କ, ମୁଖାର୍ଜୀ ପାର୍କ, ବାଣୀବିହାର, ଆଇଜି ପାର୍କ, ସାଇନ୍ସ ପାର୍କ, ଗୌତମବୁଦ୍ଧ ପାର୍କ, ଏମ୍ଜି ପାର୍କକୁ ଲୋକେ ବୁଲିବାକୁ ଯିବେ । ଏସବୁ ଜାଗାରେ ସାଦା ପୋଷାକରେ ପୁଲିସ ଲୁଟେରା, ଚୋରଙ୍କ ଉପରେ ନଜର ରଖିବେ ।
