ନୂଆଦିଳ୍ଲୀ,୨୮।୧୨: ଭାରତ ପାଇଁ ଆଗକୁ ଭୂକମ୍ପ ବିପଦ। ଭୂ-ବିଜ୍ଞାନୀମାନେ ଦେଇଛନ୍ତି ଏଭଳି କିଛି ଚେତାବନୀ । ଗୁଜରାଟର କଚ୍ଛରେ ଭୂକମ୍ପ ପରେ ତିନୋଟି ଫଲ୍ଟ ଲାଇନ୍ ସକ୍ରିୟ ଥିବାର ଜଣାପଡିଛି। ଶୁକ୍ରବାର ସକାଳେ ୪.୬ ତୀବ୍ରତାରେ ଆସିଥିବା ଭୂକମ୍ପରେ ଯଦିଓ ବିଶେଷ କିଛି କ୍ଷୟକ୍ଷତି ହୋଇନି କିନ୍ତୁ, ଫଲ୍ଟ ଲାଇନ୍ ସକ୍ରିୟ ହୋଇଯାଇଛି। ଫଳରେ ୨୪ ବର୍ଷ ପୁରୁଣା ଘଟଣାର ଘଟିପାରେ ପୁନଃରାବୃତ୍ତି। ୨୦୦୧ ରେ ହୋଇଥିବା ବିନାଶକାରୀ ଭୂକମ୍ପରେ ୨୦ ରୁ ୨୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ତାଜା ଭୂକମ୍ପ ପରେ ପ୍ରାୟ ଏକାଧିକ ହାଲକା ଝଟକା ମାଟି ତଳେ ଆସିଛି। ଯାହାଦ୍ବାରା ତିନୋଟି ଫଲ୍ଟ ଲାଇନ୍ ସକ୍ରିୟ ଥିବା ନେଇ ଜଣାପଡିଛି। ତା ଛଡା ପୂର୍ବରୁ ହିଁ କଚ୍ଛକୁ ଭୂକମ୍ପ ପାଇଁ ସମ୍ବେଦନଶୀଳ ଅଞ୍ଚଳ ବୋଲି ମନେକରାଯାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଭୂକମ୍ପର ୩୦ ଘଣ୍ଟା ଭିତରେ ୨୩ ଆଫ୍ଟରସକ୍ ବା ଭୂକମ୍ପ ପରେ ହାଲକା ଝଟକା ଅନୁଭବ ହୋଇଛି। ଶୁକ୍ରବାର ଭୋର ୪ଟା ୩୦ ମିନଟରୁ ଶନିବାର ସକାଳ ୯ଟା ୪୫ ମିନିଟ୍ ଭିତରେ ନର୍ଥ ଭାଗଡ ଫଲ୍ଟରୁ ଆରମ୍ଭ ହୋଇଥିଲା ଏହି କମ୍ପନ। ଏହାକୁ ଏହି କ୍ଷେତ୍ରର ସବୁଠାରୁ ସକ୍ରିୟ ବୋଲି ମନେକରାଯାଉଛି। ଭୂକମ୍ପର ନିକଟତମ ଡାଟାରୁ ଜଣାପଡିଛି ଯେ, କଥରୋଲ ହିଲ୍ସ, ଗୋରା ଡୋଙ୍ଗର ଓ ନର୍ଥ ଓ୍ବାଗଡ ଫଲ୍ଟ ଲାଇନ୍ ସହ ଆକ୍ଟିଭ ହୋଇଯାଇଛି। ଏହି କାରଣରୁ ଭାରତର ସବୁଠାରୁ ପ୍ରମୁଖ ଭୂକମ୍ପ ସମ୍ଭାବିତ ଅଞ୍ଚଳକୁ ନେଇ ଚିନ୍ତା ବଢିଛି। କଚ୍ଛରେ ପୂର୍ବରୁ ହିଁ ୧୦ ରୁ ଅଧିକ ଫଲ୍ଟ ଲାଇନ୍ ରହିଛି। ତା ଭିତରେ କିଛି ମ୍ୟାନଲ୍ୟାଣ୍ଡ ଫଲ୍ଟ ଓ ସାଉଥ୍ ଓ୍ବାଗଡ ଫଲ୍ଟ ରହିଛି, ଯାହାକି ୨୦୦୧ ରେ ୭.୭ ତୀବ୍ରତାରେ ଆସିଥିବା ବିନାଶକାରୀ ଭୂକମ୍ପ ବେଳେ ଭାଙ୍ଗି ଯାଇଥିଲା। ୨୦୨୫ ରେ ଆସିଥିବା ଏହି ଝଟକାରୁ ସଙ୍କେତ ମିଳୁଛି ନୂତନ ତିନୋଟି ଫଲ୍ଟ ଲାଇନ୍ ସୃଷ୍ଟି ବଡ଼ ବିପଦ ଆଣିପାରେ। ନାଗର ପାର୍କର ଓ ଆଲ୍ଲାହ ବଣ୍ଡ ଭଳି ପାରମ୍ପାରିକ ରୂପରେ ସକ୍ରିୟ ଫଲ୍ଟ ଲାଇନ୍ ବହୁ ବର୍ଷ ଧରି ଭୂକମ୍ପ ସୃଷ୍ଟ କରୁଛି। କିନ୍ତୁ ଏବେ ଚିନ୍ତାର କଥା ଏହା ଯେ, ନିକଟରେ ଆସିଥିବା ଭୂକମ୍ପ ଭାଗଡ୍ ଫଲ୍ଟ ଲାଇନରେ ହୋଇଛି। ସେଭଳି ଗତ କିଛି ମାସରେ କାଠରୋଲ ହିଲ୍ ଓ ଗୋରା ଡୋଙ୍ଗରା ଫଲ୍ଟ ଲାଇନ୍ରେ ଭୂକମ୍ପ ଆସିଛି। ଏହା ସଙ୍କେତ ଦେଉଛି ଯେ, ୨୦୨୫ର ଆରମ୍ଭରୁ ହିଁ ତିନୋଟି ଫଲ୍ଟ ଲାଇନ୍ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରହିଛି। ଭୂ-ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ, ଏହା କେବଳ କଚ୍ଛ ନୁହେଁ ଭାରତର ଅଧିକାଂଶ ଅଂଶକୁ ପ୍ରଭାବିତ କରିପାରେ। ଏହାର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିବାକୁ ପଡିବ।
