ଭୁବନେଶ୍ଵର : ଗାଡ଼ି ମାଲିକଙ୍କୁ ଆଶ୍ଵସ୍ତି। ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯିବ। ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ OTP ପାଉ ନଥିବା ଗାଡ଼ି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କ ପାଇଁ ଏହି ନିୟମ ସହାୟକ ହେବ। ଅନଲାଇନରେ ପୂର୍ବ ଭଳି https://echallan.parivahan.gov.in/ ରେ ଇ- ଚାଲାଣ ପୈଠ କରିହେବ। ପ୍ରଦୂଷଣ ବଢ଼ୁଛି । ପରିବେଶକୁ କ୍ଷତି ପହଞ୍ଚୁଛି । ଗାଡ଼ି ସଂଖ୍ୟା ବଢ଼ିବା କାରଣରୁ ଏଥିରୁ ନିର୍ଗତ ଧୂଆଁ ପରିବେଶ ନଷ୍ଟ କରୁଛି । ତେଣୁ ଯେଉଁ ଗାଡ଼ି ଅଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି ସେମାନଙ୍କ ଉପରେ କଟକଣା ଲଗାଇବା ଏବଂ ଯେଉଁ ଗାଡ଼ିଗୁଡ଼ିକ ପରିବେଶ ଅନୁକୂଳ ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ବା ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍ ସାର୍ଟିଫିକେଟ୍ ହାସଲ କଲେ ଯାଇ ଗାଡ଼ିରେ ତେଲ ପକାଇପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏଥିପାଇଁ ସାରା ରାଜ୍ୟରେ ଗାଡ଼ି ଟେଷ୍ଟିଂ କେନ୍ଦ୍ର ଆଗରେ ନାହିଁ ନଥିବା ଭିଡ଼ ଲମ୍ବୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନଙ୍କର ମୋବାଇଲ୍ ନଂ ଅପଡେଟ୍ ନାହିଁ ସେମାନେ ମଧ୍ୟ ଚାଲାଣ କାଟିବା ବେଳେ ହଇରାଣ ହେଉଛନ୍ତି। କାରଣ ଓଟିପି ଆସୁନି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଅଫଲାଇନରେ ଚାଲାଣ କାଟିବା ପାଇଁ ବ୍ୟବସ୍ଥା କରାଯାଇଛି।
