ଭୁବନେଶ୍ୱର : ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ସହ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଭୁବନେଶ୍ୱରରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିବା ସହିତ ଓଡିଶାବାସୀଙ୍କୁ ଓଡ଼ିଆରେ ସମ୍ବୋଧନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆରଏସ ଗୋପାଳନ ଏବଂ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ପୁରୀ ଶ୍ରୀମନ୍ଦିରର ସମ୍ମୁଖରେ ଶ୍ରୀ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପ୍ରତୀକ କୁମାର ସିଂ ଓ ଅନ୍ୟ ଅଧିକାରୀମାନେ ସ୍ୱାଗତ ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରାଇଥିଲେ। ଏହି ଅବସରରେ ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କୁ ସାମ୍ବିଧାନିକ ଗୁରୁଦାୟିତ୍ୱ ଆହୁରି ଭଲ ଭାବେ ସମ୍ପାଦିତ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଆଶାବ୍ୟକ୍ତ କରିଥିଲେ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବହୁ ପ୍ରାଚୀନ ଓ ଅନନ୍ୟ। ଏହି ଗସ୍ତ ସମୟରେ ସେ ସବୁ ବିଷୟରେ ମୁଁ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିବି ବୋଲି ସେ ପୁରୀରେ ଉଲ୍ଲେଖ କରିଥିଲେ । ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀ ଓ ସେବାୟତମାନେ ତାଙ୍କୁ ମହାପ୍ରଭୁଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସ୍ୱତନ୍ତ୍ରତା, ନିଆରା ନୀତିକାନ୍ତି, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ମନ୍ଦିରର କାରୁକାର୍ଯ୍ୟ ଓ ଭାବ ଭକ୍ତି ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମୁଖ୍ୟ ନିର୍ବାଚନ କମିଶନର ସମୁଦ୍ର ପାର୍ଶ୍ଵର ମାର୍ଗରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଯାତ୍ରା କରିଥିଲେ। କଳିଙ୍ଗ ଶୈଳୀର ଅନନ୍ୟ ନିର୍ମାଣ ଓ ୟୁନେସ୍କୋ ଘୋଷିତ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କର ଅଦ୍ଭୁତ କଳାନୈପୁଣ୍ୟ ଓ ଇତିହାସ ସମ୍ପର୍କରେ ଜାଣି ସେ ଅବିଭୁତ ହୋଇଥିଲେ । କୋଣାର୍କରେ ନିର୍ବାଚନ କମିଶନର ଶ୍ରୀ କୁମାର କହିଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର କେବଳ ଓଡ଼ିଶାର ନୁହଁ ବରଂ ଏହା ସମଗ୍ର ଭାରତର ମାନ ଓ ସମ୍ମାନ ଅଟେ। ମନ୍ଦିରର କଳେବର ଓ କାରୁକାର୍ଯ୍ୟକୁ ଅନୁଧ୍ୟାନ କଲେ ଜଣା ପଡେ ପ୍ରାଚୀନ ସମୟରେ ଆମ ଦେଶ ଧନ, ମାନ, ଜ୍ଞାନ ଓ ବିଜ୍ଞାନରେ କେତେ ଯେ ସମୃଦ୍ଧ ଥିଲା ସେ କଥା କଳ୍ପନା କଲେ ହୃଦୟ ଗର୍ବ ଓ ଗୌରବରେ ପୁରି ଉଠୁଛି ବୋଲି ଉଲ୍ଲେଖ କରିଥିଲେ ।
