ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭାରତର ମହାକାଶଚାରୀ ତଥା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ(ଆଇଏସଏସ)କୁ ଯାତ୍ରା କରିଥିବା ଶୁଭାଂଶୁ ଶୁକ୍ଳାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ କାଳରେ ଶ୍ରୀ ପ୍ରଧାନ ଶୁଭାଂଶୁଙ୍କ ଦୁଃସାହସିକ ମହାକାଶ ଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କୁ ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଛନ୍ତି । ଏହି ଅବସରରେ ମହାକାଶ ବିଜ୍ଞାନ ଓ ଗବେଷଣାକୁ କିଭଳି ଭାବେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସ୍ତରରେ ସାମିଲ କରାଯାଇ ପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ମହାକାଶ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଏହି ସଂସ୍କାରକୁ ଆଗକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଗାମୀ ପିଢ଼ିକୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କୁ ଭବିଷ୍ୟତର ଦକ୍ଷ ‘ସ୍ପେସ୍ ପ୍ରଫେସନାଲ୍’ ଭାବେ ଗଢ଼ିତୋଳିବା ଆମର ପ୍ରାଥମିକତା । ଏହି ସାକ୍ଷାତକାର ଶିକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
