ନୂଆଦିଲ୍ଲୀ: ଗ୍ଳୋବାଲ ଫୁଟବଲ ଆଇକନ୍ ଲିୟୋନେଲ୍ ମେସିଙ୍କ ଭାତର ଗ୍ରସ୍ତ କୋଲକାତାରୁ ଆରମ୍ଭ ହୋଇଛି। କିନ୍ତୁ ଅବ୍ୟବସ୍ଥା କାରଣରୁ ଏହା ମମତା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଜେପି ପକ୍ଷରୁ ଲଗାତାର ସରକାରଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏହି କ୍ରମରେ ପଶ୍ଚିମବଙ୍ଗର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ପୁରା ଘଟଣାକ୍ରମ ଉପରେ ବିଦେଶୀ ଗଣମାଧ୍ୟମର ରିପୋର୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ମମତା ସରକାର କୋଲକାତାକୁ ପୁରା ବିଶ୍ବ ଆଗରେ ଲଜ୍ଜିତ କରିଛନ୍ତି। ସୋସିଆଳ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି, ପୁରା ଅବ୍ୟବସ୍ଥା ପାଇଁ ମମତା ସରକାର ଦାୟୀ। ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ମମତା ପ୍ରଶାସନର ଘୋର ବିଫଳତା କୋଲକାତାକୁ ବିଶ୍ବସ୍ତରରେ ପରିହାସର ପାତ୍ର କରିଛି। ସେ ଓ ତାଙ୍କର ଅପାରଗ ମନ୍ତ୍ରୀମାନେ ମିଶିକି ଏକ ସାର୍ବଜନୀନ ସମାରୋହକୁ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିଦେଇଛନ୍ତି। ତାଙ୍କର କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମରେ ଅରାଜକତା ସୃଷ୍ଟି ହୋଇଥିଲା। ବିଜେପି ନେତା ଏହାକୁ ବିଶ୍ବମଞ୍ଚରେ ଭାରତ ଓ କୋଲକାତାର ଅପମାନ ବୋଲି କହି ମମତାଙକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କ୍ଷମା ମାଗିବା ଓ ବୁଦ୍ଧି ଦେଖାଇ ସାରା ଦୋଷ କାହା ଉପରେ ଲଦି ଦେଲେ ଟିଏମସି ସରକାରଙ୍କ ଅପାରଗତା ଲୁଚି ଯିବନି। ଉଲ୍ଲେଖନୀୟ ଯେ, ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ ଲିଓନେଲ ମେସିଙ୍କ ଟିକେ ଝଲକ ପାଇବା ପାଇଁ ଶନିବାର ସଲ୍ଟ ଲେକ୍ ଷ୍ଟାଡିୟମ ପାଲଟିଥିଲା ଜନ ସମୁଦ୍ର । ହେଲେ, ମେସି ପଡ଼ିଆରେ ଏଣ୍ଟ୍ରି କରିବାର ୧୦ ମିନିଟ ପରେ ଆରମ୍ଭ ହୋଇଥିଲା ହଙ୍ଗାମା । ମେସିଙ୍କୁ ଦେଖି ନ ପାରି ପଡ଼ିଆରେ ହଙ୍ଗାମା କରିଥିଲେ ଦର୍ଶକ । ଯେତେବେଳେ ଷ୍ଟାଡିମୟରେ ଏଣ୍ଟ୍ରି କରିଥିଲେ ମେସି, ସେତେବେଳେ ଦର୍ଶକ ବେଶ ଉତ୍ସାହିତ ଥିଲେ । ଆଶା ଥିଲା ନିଜର ପ୍ରିୟ ଫୁଟବଲରଙ୍କୁ ଅତି ପାଖରୁ ଦେଖିବେ। ଏଥି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ। ୫ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିକେଟ୍ ମଧ୍ୟ କାଟିଥିଲେ ଦର୍ଶକ । ହେଲେ ମାତ୍ର ୧୦ ମିନିଟ୍ ପରେ ପଡ଼଼ିଆ ଛାଡ଼ିଥିଲେ ମେସି । ସ୍ଥିତି କାବୁ କରିବାକୁ ନାକେଦମ ହୋଇଥିଲା ପୋଲିସ ଆଉ ବାଧ୍ୟ ହୋଇ ପଡ଼ିଆ ଛାଡ଼ିଥିଲେ ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ । ମେସିଙ୍କ କାର୍ଯ୍ୟକ୍ରମରେ ଅଘଟଣ ପରେ ଇଭେଣ୍ଟ ଆୟୋଜକଙ୍କୁ ଅଟକ ରଖିଛି ପଶ୍ଚିମବଙ୍ଗ ପୁଲିସ୍ ।
