ନୂଆଦିଲ୍ଲୀ: ସାଇବର ନେଟଓ୍ବର୍କ ବିରୋଧ ସିବିଆଇର ଆକ୍ସନ । ଜାତୀୟ ଯାଞ୍ଚ ବ୍ୟୁରୋ ଏକ ବଡ଼ ସାଇବର ଠକେଇ କେସରେ ଚାର୍ଜସିଟ୍ ଦଖଲ କରିଛି । ଏଥିରେ ୧୭ଜଣ ଠକଙ୍କ ନାଁ ଉଲ୍ଲେଖ ରହିଛି । ଏମାନଙ୍କ ମଧ୍ୟରେ ୪ଜଣ ବିଦେଶୀ ନାଗରିକ ରହିଛନ୍ତି । ୫୮ କମ୍ପାନିଙ୍କ ବିରୋଧରେ ଆକ୍ସନ ମଧ୍ୟ ନେଇଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବା ସିବିଆଇ । ଏହି ନେଟଓ୍ବର୍କ ଭାରତର ଏକାଧିକ ରାଜ୍ୟରେ ନିଜର ଠକେଇ ଜାଲ ବିଛେଇ ଥିଲା । ଯାହାର ପର୍ଦ୍ଦାଫାଶ କରି ସିବିଆଇ ଟିମ୍ ଚାର୍ଜସିଟ୍ ଦାଖଲ କରିଛି ।
ସିବିଆଇ ଅନୁଯାୟୀ, ଅକ୍ଟୋବର ୨୦୨୫ରେ ଏହି ମାମଲାରେ ତିନି ଜଣ ଭାରତୀୟ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ତଦନ୍ତରେ ଖୁଲାସା ହୋଇଛି ଯେ, ଏକ ଠକେଇ ସିଣ୍ଡିକେଟ୍ ଲୋନ୍ ଆପ୍, ନକଲି ନିବେଶ ଯୋଜନା, MLM ମଡେଲ, ପାର୍ଟ-ଟାଇମ୍ ଚାକିରି, ଓ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ଠକୁଥିଲା । ଗୃହ ମନ୍ତ୍ରଣାଳୟର ଇନ୍ ପୁଟ୍ ଆଧାରରେ ସିବିଆଇ ଟିମ୍ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଯାଞ୍ଚ ବ୍ୟୁରୋ ଟିମକୁ ପ୍ରଥମେ ଏହା ଭିନ୍ନ ଭିନ୍ନ ଅଭିଯୋଗ ଭଳି ଲାଗୁଥିଲା । ସିବିଆଇର ଗଭୀର ବିଶ୍ଲେଷଣ ପରେ ଏଥିରୁ ଏକ ଆପ୍, ଟଙ୍କା ଟ୍ରାଞ୍ଜାକ୍ସନ୍ ପ୍ୟାଟର୍ଣ୍ଣ, ପେମେଣ୍ଟ୍ ଗେଟୱେ ଓ ଡିଜିଟାଲ ଫୁଟପ୍ରିଣ୍ଟ ମିଳିଥିଲା । ଯାହା ଏକ ସଂଗଠିତ ଷଡ଼ଯନ୍ତ୍ରକୁ ସୂଚାଉ ଥିଲା । ତଦନ୍ତରୁ ମିଳିଥିଲା ତଥ୍ୟ ଅନୁଯାୟୀ, ସାଇବର ଅପରାଧିମାନେ Google ବିଜ୍ଞାପନ, ବଲକ SMS, SIM-ବକ୍ସ ମେସେଜିଂ, କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର, ଫିନ୍ଟେକ୍ ପ୍ଲାଟଫର୍ମ ଓ ଏକାଧିକ ‘ମ୍ୟୁଲ୍’ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ। ଏହା ମାଧ୍ୟମରେ ଟଙ୍କା ସଂଗ୍ରହ ଓ ସ୍ଥାନାନ୍ତରଣ କରି ନିଜ ପରିଚୟ ଲୁଚାଯାଉଥିଲା। ସିବିଆଇ ଟିମ୍ ୧୧୧ଟି ସେଲ୍ କମ୍ପାନୀର ସନ୍ଧାନ ପାଇଛି, ଯାହା ନକଲି ଡାଇରେକ୍ଟର, ଜାଲ୍ କାଗଜପତ୍ର, ଭୁଲ୍ ଠିକଣା ଓ ଭ୍ରମକର ବ୍ୟବସାୟ ଉଦ୍ଦେଶ୍ୟ ଦେଖାଇ ପଞ୍ଜୀକୃତ ହୋଇଥିଲା। ଏହି କମ୍ପାନୀ ମାଧ୍ୟମରେ ୧,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ରାଶି ଠକେଇ ହୋଇଥିବା ବେଳେ ଗୋଟିଏ ଆକାଉଣ୍ଟରେ ମାତ୍ର ସ୍ୱଳ୍ପ ସମୟରେ ୧୫୨ କୋଟି ଟଙ୍କା ଜମା ହୋଇଥିଲା।
କର୍ଣ୍ଣାଟକ, ତମିଳନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ହରିଆଣାର ୨୭ଟି ସ୍ଥାନରେ ଚଢ଼ାଉ କରି ସିବିଆଇ ଟିମ୍ ଡିଜିଟାଲ ଉପକରଣ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଆର୍ଥିକ ରେକର୍ଡ ଜବତ କରିଛି। ଫରେନସିକ୍ ତଦନ୍ତରେ ବିଦେଶରୁ ନିୟନ୍ତ୍ରଣ ଓ ପରିଚାଳନା ହେଉଥିବା ସଂପୃକ୍ତି ସ୍ପଷ୍ଟ ହୋଇଛି । ଏହି ଠକେଇ ସିଣ୍ଡିକେଟରେ ଜୋ ୟୁ, ହ୍ୟୁୟାନ ଲିୟୁ, ଓ୍ବେଜିୟାନ୍ ସିୟୁ ଏବଂ ଗୁଆନହୁଆ ଓ୍ବାଙ୍ଗ ନାମକ ୪ଜଣ ବିଦେଶୀ ହ୍ୟାଣ୍ଡଲରଙ୍କ ଦ୍ବାରା ୨୦୨୦ରୁ ଭାରତ ସେଲ୍ କମ୍ପାନି ଗଠନ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ଜାଲିଆତି, ଜାଲ୍ କାଗଜପତ୍ର ବ୍ୟବହାର ଅଭିଯୋଗରେ ଠକେଇ ମାମଲା ରୁଜୁ କରିଛି । ସିବିଆଇର ଏହି ଯାଞ୍ଚ ଅପରେସନ ଚକ୍ର-ଭି ଅଧୀନରେ ଚାଲୁଥିଲା । CBI କହିଛି, ଦେଶର ଡିଜିଟାଲ ଅର୍ଥନୀତି ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ସେମାନେ ସାଇବର ଅପରାଧ ନେଟୱାର୍କକୁ ସମୂଳେ ଧ୍ୱଂସ କରିବାକୁ ପ୍ରତିବଦ୍ଧ।
