କୋରାପୁଟ: ଆନ୍ଧ୍ର ଏଜେଣ୍ଟଙ୍କ ଆତଙ୍କ ଯୋଗୁ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଭୟଭୀତ ଗ୍ରାମବାସୀ ନିଜ ପିଲାଙ୍କୁ ପ୍ରାକ୍ ଶିକ୍ଷା ଲାଗି ଛାଡ଼ୁନାହାନ୍ତି। ଗର୍ଭବତୀ ଓ ପ୍ରସୂତି ମଧ୍ୟ ଯାଉନାହାନ୍ତି। ୫ ମାସ ହେଲା ଏଭଳି ପରିସ୍ଥିତି ଲାଗି ରହିଛି। ଅଥଚ ପଟାଙ୍ଗି ବ୍ଲକ୍ ପ୍ରଶାସନ ଓ ସମନ୍ବିତ ଶିଶୁ ବିକାଶ (ଆଇସିଡିଏସ୍) ବିଭାଗ ଅସହାୟ ଭଳି ଆଚରଣ କରୁଛି। କୋଟିଆରେ ମନମାନି ଚାଲିଛି ଆନ୍ଧ୍ର ଏଜେଣ୍ଟଙ୍କର। କେତେବେଳେ ଓଡ଼ିଶା ସରକାରଙ୍କ ବିରୋଧରେ ଖୋଲାଖୋଲି କହୁଛନ୍ତି ତ ଆଉ କେତେବେଳେ ଆନ୍ଧ୍ର ସରକାରଙ୍କ ଗୁଣଗାନ କରୁଛନ୍ତି। କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରତି ଢଳିବା ଲାଗି ପ୍ରଭାବିତ କରୁଛନ୍ତି। ଓଡ଼ିଶାର ଯୋଜନା ଯେମିତି ଲାଗୁ ନ ହୁଏ ସେଥିପାଇଁ ଏହି ଏଜେଣ୍ଟମାନେ ପୂରା ଜୋର୍ ଲଗାଉଛନ୍ତି। ସରକାରୀ ଫଳକ ଭାଙ୍ଗିବାକୁ ମଧ୍ୟ ପଛାଉ ନାହାନ୍ତି। ଏହି କ୍ରମରେ ପ୍ରାୟ ୫ ମାସ ତଳେ ଉପରସେମ୍ବିସ୍ଥିତ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ରରେ କିଛି ଆନ୍ଧ୍ର ଏଜେଣ୍ଟ ତାଲା ପକାଇ ଦେଇଥିଲେ। ଓଡ଼ିଶା ସରକାରଙ୍କ ଯୋଜନା ଯେମିତି କାର୍ଯ୍ୟକାରୀ ହେବନାହିଁ, ସେଥିପାଇଁ ଭରପୂର ପ୍ରୟାସ କରିଥିଲେ। ଖବର ମିଳିବା ପରେ ପଟାଙ୍ଗି ବ୍ଲକ୍ ପ୍ରଶାସନ ପହଞ୍ଚି କେନ୍ଦ୍ରରୁ ତାଲା ଭାଙ୍ଗିଥିଲା। ଏହା ପରେ କେନ୍ଦ୍ର ଖୋଲିଛି ସତ, କିନ୍ତୁ ସୁଚାରୁରୂପେ ପରିଚାଳିତ ହୋଇ ପାରୁନାହିଁ। ଉପରୋକ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏକପ୍ରକାର ଅଘୋଷିତ କଟକଣା ଲାଗୁ ହୋଇଛି। ଅନ୍ୟପକ୍ଷରେ ଗ୍ରାମବାସୀ ଓଡ଼ିଶା ପ୍ରଶାସନ ଉପରେ ଭରସା କରି ପାରୁନାହାନ୍ତି। ତେଣୁ ୫ ମାସ ହେଲା ପ୍ରାକ୍ ବିଦ୍ୟାଳୟର ଜଣେ ମଧ୍ୟ ଶିଶୁ ଏହି କେନ୍ଦ୍ରକୁ ଯାଉନାହାନ୍ତି। ଏ ସଂପର୍କରେ ସିଡିପିଓ ଭି.ଅନ୍ନପୂର୍ଣ୍ଣାଙ୍କୁ ପଚରାଯିବାରୁ ସେ କହିଥିଲେ, ଅଙ୍ଗନବାଡ଼ି କେନ୍ଦ୍ର ନିୟମିତ ଖୋଲୁଥିଲେ ସୁଦ୍ଧା ଅଭିଭାବକ ପିଲାଙ୍କୁ ଛାଡ଼ୁନାହାନ୍ତି। ଏଥିପାଇଁ ଶିଶୁ ଓ ଗର୍ଭବତୀଙ୍କ ପାଇଁ ଯାହା କିଛି ସହାୟତା କିମ୍ବା ପ୍ରଶାସନ ପକ୍ଷରୁ ସେବା ରହିଛି ତାହାକୁ ଅଙ୍ଗନବାଡ଼ି କର୍ମୀ ଘରଘର ବୁଲି ହିତାଧିକାରୀଙ୍କୁ ବଣ୍ଟନ କରୁଛନ୍ତି। ବିବାଦୀୟ ପରିସ୍ଥିତି ଯୋଗୁଁ ପିଲାଙ୍କ ପ୍ରାକ୍ ଶିକ୍ଷା ପଛରେ ପଡ଼ିଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତର ନେରିଡ଼ିବାଲସା, ଧୂଳିପଦର, ଉପରସେମ୍ବି, ଫଗୁଣସିନେରୀ, ଫାଟୁସିନେରୀ, ମାଡ଼କାର, କୋଟିଆ, ଗଞ୍ଜେଇପଦର, ମାଥଲଆମ୍ବା, ରଣସିଂ, କାନାଦୋରା, କଟ୍ରାଗୁଡ଼ା, ହରମାଣ୍ଡିଙ୍ଗି, ଝଙ୍କରୱାଲସା, ଗୁମେଲପଦର, ଡାଳିଆମ୍ବ ଭଳି ୨୬ଟି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସେହିପରି ଆନ୍ଧ୍ର ପକ୍ଷରୁ ତଳସେମ୍ବି, ଧୂଳିପଦର, ନେରିଡ଼ିବାଲସା, ତଳଗଞ୍ଜେଇପଦର ଓ ଫାଟୁସିନେରୀରେ ଅସ୍ଥାୟୀ ଭାବେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଯେଉଁ ଗାଁରେ ଉଭୟ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ରହିଛି ସେଠାକାର ପିଲା ଉଭୟ କେନ୍ଦ୍ରରେ ନାମ ଲେଖାଇଥିବା କୁହାଯାଉଛି।
