ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ସିବିଆଇ ମାଷ୍ଟରମାଇଣ୍ଡ୍ ତଥା ପଞ୍ଚସପ୍ଟ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ ମାଲିକ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ର ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ଏମାନଙ୍କୁ ଜେରା ସମୟରେ ବହୁ ବଡ଼ ମୁଣ୍ଡର ଲିଙ୍କ୍ ପଦାକୁ ଆସିବ ବୋଲି ସିବିଆଇ ଆଶା ରଖିଛି । ରିମାଣ୍ଡ୍ ପାଇଁ ଆସନ୍ତା ସପ୍ତାହରେ ଆବେଦନ କରାଯିବ ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ସେପଟେ ସିବିଆଇ ୪ ଜଣ ଦଲାଲ୍ ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି । ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସିବିଆଇ ସଂଗ୍ରହ କରିଛି । ଆଜି ରିମାଣ୍ଡ ସରିବା ପରେ ୩ ଜଣଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆ ଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୩ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ସିବିଆଇ ୧୨ ପରୀକ୍ଷାର୍ଥୀଙ୍କୁ ନୋଟିସ୍ କରି ଜେରା କରିଥିଲା । ସୋମବାର ଦିନ ଆଉ କିଛି ପରୀକ୍ଷାର୍ଥୀଙ୍କୁ ଜେରା କରିବା ପାଇଁ ନୋଟିସ୍ କରାଯାଇଥିବା ଜଣାପଡ଼ିଛି ।
