ଭୁବନେଶ୍ଵର : ଆଉ ଚାଲିବନି ମନମାନି। ସାବାଡ୍ ହେବେ ବାଲି ମାଫିଆ। ସାରା ରାଜ୍ୟରେ ସମାନ ହେବ ବାଲି ଦର। ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି। ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ। ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି। ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବାଲି ବିକ୍ରି ହେବ।
ଏମଏସପି ଲାଗୁ ହେଲେ ସାରା ରାଜ୍ୟରେ ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ। ବାଲି ଉତ୍ତୋଳନ ପାଇଁ ଇ-ଅକ୍ସନ ହେବନି। ଇ-ଲଟେରୀ ମାଧ୍ୟମରେ ଖଣି ଲିଜ୍ ଦିଆଯିବ। ଏଣିକି ସରକାର ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଦେବେ। ବିନା ଷ୍ଟେରେଜ୍ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କହି ବେଆଇନ ଭାବେ ଗଚ୍ଛିତ କରି ରଖିପାରିବେ ନାହିଁ। ଶୁକ୍ରବାର କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରିଛନ୍ତି। କ୍ୟାବିନେଟ ନିଷ୍ପତି ପରେ ଏନେଇ ବଡ଼ ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା।
