ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ । ରାଷ୍ଟ୍ରପତି ୨୭ ତାରିଖରେ ବିଧାନସଭା ଶୀତ ଅଧିବେଶନକୁ ସମ୍ବୋଧନ କରିବେ । ସେହିଦିନ ରାଜଭବନରେ ରାତ୍ରୀଯାପନ କରିବେ । ୨୮ ତାରିଖରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶେଷ କରି ପୁଣି ଥରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ। ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ। ତେବେ ଏହି ଅଧିବେଶନ ବେଶ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ଗୃହକୁ ସମ୍ବୋଧିତ କରିବା ବେଶ ଉଲ୍ଲେଖନୀୟ ଘଟଣା ହେବ।
