ନୂଆଦିଲ୍ଲୀ : ଏକ ବଡ଼ ଧରଣର ‘ଡିଜିଟାଲ ଆରେଷ୍ଟ୍’ ସ୍କାମରେ ବେଙ୍ଗାଲୁରୁର ଜଣେ ୫୭ ବର୍ଷୀୟ ମହିଳା ୩୨ କୋଟି ହରାଇଛନ୍ତି । ଠକମାନେ ଡିଏଚଏଲ୍ କର୍ମଚାରୀ, ସାଇବର କ୍ରାଇମ୍ ବିଭାଗ, ସିବିଆଇ ଓ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)ର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇ ମହିଳାଙ୍କୁ ମାସେ କାଳ ଭର୍ଚୁଆଲ ବନ୍ଦୀ କରି ରଖିଲେ । ଗତ ୧୪ ତାରିଖରେ ରୁଜୁ ହୋଇଥିବା ମାମଲା ଅନୁସାରେ, ସେପ୍ଟେମ୍ବର ୧୫, ୨୦୨୪ରେ ଏହି ଡିଜିଟାଲ ସ୍କାମ୍ ଆରମ୍ଭ ହୋଇଥିଲା । ପୀଡ଼ିତ ମହିଳାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଲା, ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଡିଏଚଏଲର କର୍ମଚାରୀ ବୋଲି ଦାବି କଲା । ମୁମ୍ବାଇର ଅନେ୍ଧରୀରୁ ତାଙ୍କ ନାଁରେ ବୁକ୍ କରାଯାଇଥିବା ଏକ ପ୍ୟାକେଜରେ ୪ ପାସପୋର୍ଟ, ୩ କ୍ରେଡିଟ୍ କାର୍ଡ ଓ ଏମଡିଏମଏ ସମେତ ପ୍ରତିବନ୍ଧିତ ସାମଗ୍ରୀ ରହିଥିବା ସେ ମହିଳାଙ୍କୁ ସୂଚନା ଦେଲା । ମହିଳା ମୁମ୍ବାଇ ଯାତ୍ରା କରିନଥିଲେ ବୋଲି ତାଙ୍କୁ କହିଲେ । ଏହା ସତ୍ତେ୍ୱ ବ୍ୟକ୍ତି ଜୋର୍ ଦେଇ କହିଲା ଯେ ଆପଣଙ୍କ ପରିଚୟର ଦୁରୁପଯୋଗ ହୋଇଛି ଏବଂ ସାଇବର କ୍ରାଇମ୍ ଅପରାଧ ରୂପେ ମାମଲା ଆଗକୁ ବଢ଼ିଛି । ମହିଳା କିଛି ପ୍ରତିକ୍ରିୟା ଦେବା ପୂର୍ବରୁ ସିବିଆଇ ଅଧିକାରୀ ଦର୍ଶାଉଥିବା ଅଧିକାରୀଙ୍କ ପାଖକୁ କଲ୍ ସ୍ଥାନାନ୍ତର କରିଦିଆଗଲା । ସେମାନେ ମହିଳାଙ୍କୁ ଗିରଫର ଧମକ ଦେଲେ ଏବଂ ତାଙ୍କ ବିରୋଧରେ ଠୋସ୍ ପ୍ରମାଣର ଦାବି କଲେ । ଆହୁରି କହିଲେ ଯେ ଯେଉଁ ଅପରାଧୀମାନେ ତାଙ୍କ ପରିଚୟର ଦୁରୁପଯୋଗ କରିଛନ୍ତି, ସେମାନେ ତାଙ୍କ ଘର ଉପରେ ନଜର ରଖିଛନ୍ତି । ଏଥିପାଇଁ ସ୍ଥାନୀୟ ପୋଲିସକୁ ସୂଚନା ନ ଦେବାକୁ ଚେତାବନୀ ଦେଲେ । ପରିବାରର ସୁରକ୍ଷାକୁ ନେଇ ଭୟଭୀତ ପୀଡ଼ିତା ଚୁପ୍ ରହିଲେ । ଠକମାନେ ତାଙ୍କୁ ଦୁଇଟି ସ୍କାଇପେ ଆଇଡି ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦେଲେ । ଏହା ଜରିଆରେ ମୋହିତ ହାଣ୍ଡା ନାମକ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ଘରର କ୍ୟାମେରା ଜରିଆରେ ତାଙ୍କ ଉପରେ ନିରନ୍ତର ନଜର ରଖିଲା ଏବଂ ତାଙ୍କୁ ହାଉସ୍ ଆରେଷ୍ଟ୍ କରାଯାଇଥିବା ଦାବି କଲା । ଏହା ପରେ ସିବିଆଇ ଅଫିସର ପ୍ରଦୀପ ସିଂହର ପରିଚୟ ଦେଉଥିବା ଅନ୍ୟ ଜଣେ ଠକ ସହ କଲ୍ ସଂଯୋଗ କରାଗଲା । ସେ ମହିଳାଙ୍କୁ ଗାଳି କଲା, ଗିରଫ ଧମକ ଦେଲା ଏବଂ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ବାଧ୍ୟ କଲା । ପୀଡ଼ିତାଙ୍କ ଅନୁସାରେ, ଠକଙ୍କୁ ତାଙ୍କ ଫୋନର ଗତିବିଧି ଓ ସ୍ଥାନ ବିଷୟରେ ଖବର ଥିଲା, ଯାହା ତାଙ୍କ ଭୟକୁ ବଢ଼ାଇଦେଲା । ସେମାନେ ତାଙ୍କୁ କହିଲେ, ଏହି ସ୍କାମ୍ରୁ ମୁକୁଳିବାର ଏକମାତ୍ର ମାର୍ଗ ହେଉଛି ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ପ୍ରଦାନ କର ଯାହାର ଆରବିଆଇ ଅଧୀନରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍ (ଏଫଆଇୟୁ) ଦ୍ୱାରା ଯାଞ୍ଚ୍ ହେବ । ସେମାନେ ନିତିନ ପଟେଲ ନାଁର ହସ୍ତାକ୍ଷରଯୁକ୍ତ ସାଇବର କ୍ରାଇମ୍ ବିଭାଗର ଜାଲ୍ ଚିଠି ମଧ୍ୟ ପ୍ରସ୍ତୁତ କରିଥିଲେ । ୨୦୨୪, ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୨ ମଧ୍ୟରେ ପୀଡ଼ିତା ନିଜର ସମସ୍ତ ବ୍ୟାଙ୍କ୍ ବିବରଣୀ ଠକଙ୍କୁ ହସ୍ତାନ୍ତର କଲେ । କ୍ଲିଅରାନ୍ସ ପାଇଁ ୯୦ ପ୍ରତିଶତ ସମ୍ପତ୍ତି ଜମା କରିବାକୁ ସେମାନେ ପୀଡ଼ିତାଙ୍କୁ ବାଧ୍ୟ କଲେ । ଚାପରେ ରହି ସେ ତାହା କଲେ । ଜାମିନ ଭାବେ ଅତିରିକ୍ତ ୨ କୋଟି ଟଙ୍କା ଜମା କରିବାକୁ ତାଙ୍କୁ କୁହାଗଲା । ତା’ପରେ ଟିକସ ରୂପେ ଆହୁରି ଟଙ୍କା ଜମା କରିବାକୁ ମଧ୍ୟ କୁହାଗଲା । ସ୍କାଇପେ ଜରିଆରେ ନିରନ୍ତର ତାଙ୍କ ଉପରେ ନଜର ରଖାଯାଉଥିବାବେଳେ ୨୦୨୪, ଡିସେମ୍ବର ୧ରେ ତାଙ୍କ ପାଖକୁ ଏକ ନକଲି କ୍ଲିଅରାନ୍ସ ଚିଠି ଆସିଲା । ଏହା ପରେ ଡିସେମ୍ବର ୬ରେ ସେ ପୁଅର ନିର୍ବନ୍ଧରେ ଯୋଗ ଦେଲେ । ଏହି ଦୀର୍ଘକାଳୀନ ମାନସିକ ଓ ଶାରୀରିକ ଚାପ ଯୋଗୁ ସେ ଅସୁସ୍ଥ ରହିଲେ । ୨୦୨୫ ଆରମ୍ଭରେ ସ୍କାମର୍ ଟଙ୍କା ମାଗିବା ଜାରି ରଖିଲେ ଏବଂ ଜମା ରାଶି ଫେବ୍ରୁଆରୀ ସୁଦ୍ଧା ଫେରାଇ ଦିଆଯିବ ବୋଲି ପୀଡ଼ିତାଙ୍କୁ ଆଶ୍ୱସ୍ତ କଲେ । କିନ୍ତୁ ଜମା ରାଶି ଫେରାଇବାରେ ବିଳମ୍ବ ହେଲା । ଶେଷରେ ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖରେ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ ହୋଇଗଲା । ଇତିମଧ୍ୟରେ ପୀଡ଼ିତା ସ୍କାମର୍ଙ୍କୁ ୧୮୭ ଥରରେ ମୋଟ୍ ୩୧.୮୩ କୋଟି ଟଙ୍କା ଦେଇଥିଲେ । ଏହି ଠକେଇ ମୁଖ୍ୟତଃ ଫୋନ୍ କଲ୍ ଜରିଆରେ ଏବଂ ତାଙ୍କ ମୋବାଇଲ ଫୋନ୍ ନମ୍ବର ଉପରେ ନିରନ୍ତର ନଜର ରଖି କରାଯାଇଥିଲା । ଦୀର୍ଘ ଦିନର ମାନସିକ ଆଘାତ ଓ ସେଥିରୁ ମୁକୁଳିବାରେ ପୀଡ଼ିତାଙ୍କୁ ସମୟ ଲାଗିଲା । ଗତ ଜୁନ୍ ୮ ତାରିଖରେ ନିଜ ପୁଅର ବିବାହ ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ, ଯାହା ପରେ ସେ ପୁଲିସକୁ ଏ ବିଷୟରେ ରିପୋର୍ଟ କଲେ ।
