ନୂଆଦିଲ୍ଲୀ,୧୬/୧୧; ୧୩ ଜୀବନ ନେଇଥିବା ଦିଲ୍ଲୀ ଆତଙ୍କୀ ବିସ୍ଫୋରଣ ଘଟଣାରେ ୨ଟି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ବ୍ଲାଷ୍ଟ ଅଞ୍ଚଳରେ ଛାନଭିନ୍ ବେଳେ ମଳିଛି ୯ ଏମ୍ଏମ୍ର ୩ଟି କ୍ୟାଟ୍ରିଜ୍ । କେଉଁଠୁ ଆସିଲା କ୍ୟାଟ୍ରିଜ୍ ତାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରୁ ବନ୍ଧୁକ କି ତାର କିଛି ପାର୍ଟ ମିଳିନଥିବା ବେଳେ ଖୋକା ଆସିଲା କେଉଁଠି ତାହା ବି ପ୍ରଶ୍ନ ଘେରରେ । ଆତଙ୍କୀ ଡାକ୍ତର ଉମର ଏଭଳି ବନ୍ଧୁକ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ସେପଟେ ଘରେ ବୋମା ତିଆରି କରୁଥିଲା ଆତଙ୍କୀ ଡାକ୍ତର ଉମର ନବି । ଘରେ ଲ୍ୟାବ କରି ବିସ୍ଫୋରକ ପରୀକ୍ଷଣ କରୁଥିଲା ଦିଲ୍ଲୀ ମାଷ୍ଟରମାଇଣ୍ଡ ଡାକ୍ତର ଉମନ ଉନ ନବି । ଅଲ୍ ଫଲହା ନିକଟସ୍ଥ ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍ । ମିଳିଲା ୯ ଏମ୍ଏମ୍ର ୩ଟି କ୍ୟାଟ୍ରିଜ୍- ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ, ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ସ୍ଥାନରୁ ୩ଟି ୯ଏମଏମ-କାଲିବର କ୍ୟାଟ୍ରିଜ୍ ମିଳିଛି ।ଏଥିମଧ୍ୟରୁ ଦୁଇଟି ଅଫୁଟା କ୍ୟାଟ୍ରିଜ୍ ଏବଂ ଗୋଟିଏ ଖାଲି ସେଲ୍ । ସାଧାରଣତଃ ସାଧାରଣ ନାଗରିକଙ୍କ ପାଇଁ ୯ଏମଏମ ପିସ୍ତଲ ଅନୁମତିପ୍ରାପ୍ତ ନୁହେଁ । ଏହି କ୍ୟାଟ୍ରିଜ୍ ସାଧାରଣତଃ କେବଳ ସଶସ୍ତ୍ର ବାହିନୀ କିମ୍ବା ପୁଲିସ ଅଧିକାରୀମାନେ ବ୍ୟବହାର କରନ୍ତି । ଘଟଣାସ୍ଥଳରୁ କୌଣସି ପିସ୍ତଲ କିମ୍ବା କୌଣସି ଅଂଶ ମିଳିନାହିଁ । କ୍ୟାଟ୍ରିଜ୍ ମିଳିଥିଲେ ମଧ୍ୟ ଗୁଳି ଚଳାଇବା ପାଇଁ ବ୍ୟବହୃତ ଅସ୍ତ୍ର ଏପର୍ଯ୍ୟନ୍ତ ମିଳିନାହିଁ । କ୍ୟାଟ୍ରିଜ୍ ସେଠାକୁ କିପରି ଆସିଲା ତାର ତଦନ୍ତ ଚାଲିଛି । ଘରେ ବୋମା ତିଆରି କରୁଥିଲା ଉମର- ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମନ ନବି ନିଜ ଘରେ ବିସ୍ଫୋରକ ପରୀକ୍ଷଣ କରୁଥିଲା । ଫରିଦାବାଦ ସ୍ଥିତ ଅଲ ଫଲହା ନିକଟସ୍ଥ ଭଡ଼ା ଘରେ କରିଥିଲା ସ୍ପେଶାଲ୍ ଲ୍ୟାବ୍। ଘରେ ହିଁ ବୋମା ଫ୍ୟାକ୍ଟ୍ରି କରିଥିଲା । ଏ ନେଇ ପାକିସ୍ତାନରୁ ମିଳୁଥିଲା ଟ୍ରେନିଂ । ଆତଙ୍କୀ ଲିଙ୍କ୍ ମାମଲାରେ ଫରିଦାବାଦସ୍ଥିତ ଅଲ୍-ଫଲାହ ୟୁନିଭର୍ସିଟି ପରିସରରେ ଚଢ଼ଉ ହୋଇଛି । ଏଠାରୁ ବୋମା ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀ, ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ଉକ୍ତ ଘରୁ ଅନେକ ସାମଗ୍ରୀ ଜବତ ହୋଇଛି । ଯାହା ଟେଲିଗ୍ରାମ ଜରିଆରେ ପାକିସ୍ତାନରୁ ନିର୍ଦ୍ଦେଶ ମିଳୁଥିଲା । ଅଲ୍-ଫଲାହ ୟୁନିଭର୍ସିଟି ପରିସରରେ ଥିବା ଆତଙ୍କୀ ମୁଜାମିଲ୍ର ରୁମ୍ରେ ହିଁ ସବୁ ଷଡ଼ଯନ୍ତ୍ର ହେଉଥିଲା । ଉମରର ଘରେ ଚଢାଉ ବେଳେ ବିଭିନ୍ନ ପରୀକ୍ଷଣ ଉପକରଣ ଥିବା ଏକ ବୋମା ଫ୍ୟାକ୍ଟ୍ରି ଥିବା ଜଣାପଡିଛି । ଫରିଦାବଦରେ ଡାକ୍ତର ମୁଜମ୍ମିଲକୁ ଗିରଫ ପରେ ଉମନ ନବିର ଏହି ଲ୍ୟାବ ଠାବ ହୋଇଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆତଙ୍କୀ ଡାକ୍ତର ମୁଜମ୍ମିଲ ଓ ଡାକ୍ତର ଆଦିଲ ପାକିସ୍ତାନରେ ଅବସ୍ଥିତ ଜୈସ ହ୍ୟାଣ୍ଡଲର ଫୈସଲ, ହାସିମ ଏବଂ ଉକାଶାଙ୍କ ଟେଲିଗ୍ରାମ ମାଧ୍ୟମରେ ଯୋଗଯୋଗରେ ଥିଲେ । ଖାଲି ସେତିକି ନୁହେଁ ଆତଙ୍କବାଦୀମାନେ ସୁରକ୍ଷା ରାଡାରକୁ ଚକ୍ମା ଦେବାକୁ ଯେଉଁ କୌଶଳ ଆପଣାଇଥିଲେ ତାହା ଦେଖି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ହତଚକିତ ହୋଇଯାଇଛନ୍ତି । ବେଶ୍ ଉଚ୍ଚଶିକ୍ଷିତ ଥିବା ଏହି ଆତଙ୍କୀମାନେ ‘ଡେଡ୍ ଡ୍ରପ୍’ ଇମେଲ୍ ବ୍ୟବହାର କରୁଥିଲେ । ବିସ୍ଫୋରଣ ଲାଗି ତମାମ ଷଡ଼ଯନ୍ତ୍ର ପାଇଁ ସେମାନେ ଏହି ଇମେଲ୍କୁ ଅସ୍ତ୍ର କରିଥିଲେ । ତଦନ୍ତରୁ ଜଣାପଡ଼ିଛି, ଆତଙ୍କୀମାନେ ସମାନ ଇମେଲ୍ ଆକାଉଣ୍ଟ ବ୍ୟବହାର କରୁଥିଲେ । ସେଥିରେ ସେମାନେ ‘ଡ୍ରାଫ୍ଟ ବକ୍ସ’ରେ ନିଜ ଯୋଜନା ବାବଦରେ ଟାଇପ୍ କରି ରଖୁଥିଲେ । ପରେ ଏହାକୁ ଅନ୍ୟମାନେ ନିଜ ଡିଭାଇସ୍ରେ ଇମେଲ୍ ଆକାଉଣ୍ଟକୁ ଖୋଲି ପଢ଼ିପାରୁଥିଲେ । ସେହି ଅନୁସାରେ ବାର୍ତ୍ତାଳାପ କରି ସେମାନେ ଠୋସ୍ ରଣନୀତି ବନାଉଥିଲେ । ଏହାର ଟେର୍ ସୁରକ୍ଷା କିମ୍ବା ଗୁଇନ୍ଦା ଏଜେନ୍ସି ପାଉ ନ ଥିଲେ । ଏବେ ଏହି ଡେଡ୍ ଡ୍ରପ୍ ଇମେଲ୍ ଏଜେନ୍ସିଙ୍କ ହାତରେ ପଡ଼ିଛି । ଏଥିରୁ ନୂଆ ତଥ୍ୟ ଉଜାଗର ହେବା ନେଇ ଆଶା କରାଯାଉଛି ।
