ଭୁବନେଶ୍ବର,୧୫/୧୧: ଭେଣ୍ଟିଲେଟରରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟରକୁ ସିଫ୍ଟ ହୋଇଥିବା ସୂଚନା। ଗତ ୨୪ ଘଣ୍ଟାରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସିବା କାରଣରୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି ବୋଲି କୁହାଯାଉଛି। ଆଗାମୀ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ସେପଟେ ସାହାଯ୍ୟ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଗତ କାଲି ହ୍ୟୁମାନ ସାଗରଙ୍କୁ ଅପରାହ୍ନ ୧ଟା ୧୦ ମିନିଟରେ ଅତି ସଙ୍କଟାପନ୍ନ ଅବସ୍ଥାରେ ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ପାରିବାର ଲୋକେ ବାହାର ରାଜ୍ୟକୁ ନେଇ ପାରନ୍ତି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ପାରିବାର ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ କାନ୍ଦି କାନ୍ଦି ନିବେଦନ କରିଛନ୍ତି ହ୍ୟୁମାନଙ୍କ ମାଆ। ହ୍ୟୁମାନଙ୍କୁ ବରିଷ୍ଠ ଇଣ୍ଟେନ୍ସିଭିଷ୍ଟ ଏବଂ ECMO ସ୍ପେଶାଲିଷ୍ଟ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU)ରେ ଚିକିତ୍ସା ଚାଲିଛି। ମସ୍ତିଷ୍କ, ଫୁସ୍ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟହୀନତା ସିଣ୍ଡ୍ରୋମ । ଆକ୍ୟୁଟ୍ ଅନ୍ କ୍ରନିକ୍ ଲିଭର୍ ଫେଲ୍ୟୁର୍ , ଦ୍ୱିପାର୍ଶ୍ୱୀୟ ନିମୋନିଆ , ଉଭୟ ଫୁସ୍ଫୁସ୍ରେ ସଂକ୍ରମଣ , ହୃତ୍ପିଣ୍ଡର ପମ୍ପିଂ କାର୍ଯ୍ୟ ଅତ୍ୟନ୍ତ ହ୍ରାସ ସହିତ ଡାଇଲେଟେଡ୍ କାର୍ଡିଓମାଇଓପାଥି ଭଳି ରୋଗରେ ଆକ୍ରାନ୍ତ ଅଛନ୍ତି ହ୍ୟୁମାନ। ବର୍ତ୍ତମାନ ସେ ଶ୍ୱାସକ୍ରିୟା ପାଇଁ ନନ୍-ଇନ୍ଭେସିଭ୍ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି।
