ଘୁ.ଉଦୟଗିରି,୧୩/୧୧: ଜାଡ଼ରେ ଥରୁଛି ଘୁ.ଉଦୟଗିରି ସହର । ଗୁରୁବାର ପାରଦ ଖସି ୭.୬ ଡିଗ୍ରୀ ସେଲସିଅସ୍କୁ ଆସିଥିବାରୁ ଲୋକମାନେ ସକାଳୁ ନିଆଁ, ଚାଦର ଓ ଶୀତବସ୍ତ୍ର ଛାଡ଼ୁ ନାହାନ୍ତି । ପାଣି ଛୁଇଁବାକୁ ଡର ଲାଗୁଛି । ଗାଁ ଗହଳିରେ ବୃଦ୍ଧ ବୃଦ୍ଧାମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବୁଧବାର ଘୁ.ଉଦୟଗିରିରେ ତାପମାତ୍ରା ୮.୭ ଡିଗ୍ରୀ ରହିଥିଲା । ଆଜି ତାପମାତ୍ରା ଆହୁରି ଖସି ୭.୬ ଡିଗ୍ରୀ ସେଲସିଅସ୍ ରହିଛି । ସେହିପରି, ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଛି । ଓଡ଼ିଶାର “କାଶ୍ମୀର” ଭାବେ ପରିଚିତ ଦାରିଙ୍ଗବାଡିରେ ପାରଦ ଖସି ୭.୫ ଡିଗ୍ରୀ ରହିଛି । ଚାଷୀମାନେ କହୁଛନ୍ତି, ଏହି ଜାଡ଼ ଲହରୀ ଚାଷକାର୍ଯ୍ୟ ଓ ସକାଳର କାମକୁ ପ୍ରଭାବିତ କରୁଛି । ଶ୍ରମିକମାନଙ୍କୁ ସକାଳୁ ସକାଳୁ ଶ୍ରମ କ୍ଷେତ୍ରକୁ ଯିବାରେ କଷ୍ଟ ହେଉଥିବା ସୂଚନା ରହିଛି । ତେବେ ଆଗାମୀ ଦିନମାନଙ୍କରେ ପାରଦ ଆହୁରି ଖସିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
