ନୂଆଦିଲ୍ଲୀ,୧୩/୧୧ : ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚ ସ୍ତରୀୟ ବୈଠକ । ଗୁରୁବାର ସକାଳେ ତାଙ୍କ ବ୍ୟକ୍ତିଗତ ବାସଭବନରେ ବୈଠକ ଡାକିଥିରେ । ଯେଉଁଥିରେ ଗୁଇନ୍ଦା ସଂସ୍ଥା ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଆତଙ୍କବାଦୀ ଆକ୍ରମଣର ତଦନ୍ତର ଅଗ୍ରଗତି ଏବଂ ସାରା ଦେଶରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରାଯାଇଛି। ତେବେ ଏହି ବୈଠକରେ ଏନଆଇଏ ନିର୍ଦ୍ଦେଶକ ଜେନେରାଲ, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ, ଗୃହ ସଚିବ ଏବଂ ଦିଲ୍ଲୀ ପୁଲିସ କମିଶନର ଉପସ୍ଥିତ ଥିଲେ। ଯେଉଁଥିରେ ଜାତୀୟ ରାଜଧାନୀ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକର ସାମ୍ପ୍ରତିକ ସୁରକ୍ଷା ପରିସ୍ଥିତିର ବିବରଣୀ ଉପସ୍ଥାପନ କରାଯାଇଥିଲା। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏବଂ ସତର୍କତା ବୃଦ୍ଧି କରିବାକୁ ଶାହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୁରୁବାର ଦିନର ଗୁଜୁରାଟ ଗସ୍ତ ବାତିଲ କରାଯାଇଛି। ବିଜେପି ଅଧିକାରୀମାନେ କହିଛନ୍ତି ଯେ, ଶାହ ଅହମ୍ମଦାବାଦ ଖାଦ୍ୟ ମହୋତ୍ସବ ଏବଂ ଅହମ୍ମଦାବାଦ ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ ୨୦୨୫ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ସେ ଆଉ ଯୋଗ ଦେବେ ନାହିଁ। ଦିଲ୍ଲୀ ବିସ୍ଫୋରଣ ପରେ ସୁରକ୍ଷା ପରିସ୍ଥିତିର ଗମ୍ଭୀରତା ଯୋଗୁଁ ସେ ଦିଲ୍ଲୀରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିଶ୍ୱାସ କରାଯାଉଛି। ସେପଟେ ବିଜେପି ନେତା ଏବଂ ଗାନ୍ଧୀନଗର ଲୋକସଭା ନିର୍ବାଚନମଣ୍ଡଳୀର ମୁଖପାତ୍ର ବିମଳ ଯୋଶୀ କହିଛନ୍ତି ଯେ, ଶାହଙ୍କୁ ମେହସାଣାର ଦୁଧସାଗର ଡାଏରୀରେ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଯୋଶୀ କହିଛନ୍ତି, “ଗୃହମନ୍ତ୍ରୀଙ୍କ ଅହମ୍ମଦାବାଦ ଏବଂ ମେହସାଣା ଗସ୍ତ ବାତିଲ କରାଯାଇଛି, କିନ୍ତୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେବାର ସମ୍ଭାବନା ରହିଛି।” ପ୍ରକାଶ ଥାଉକି, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବୋମା ବିସ୍ଫୋରଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଘଟଣା ପରେ ତୁରନ୍ତ ଅମିତ ଶାହ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସୁରକ୍ଷା ଏଜେନ୍ସିଗୁଡ଼ିକୁ ତଦନ୍ତ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମଙ୍ଗଳବାର ଦିନ ଶାହା ଦୁଇଟି ସୁରକ୍ଷା ସମୀକ୍ଷା ବୈଠକ ମଧ୍ୟ କରିଥିଲେ।
