ପୁରୀ ୧୩/୧୧ : ପୁରୀ ସହରରେ ଦିନକୁ ଦିନ ବିଶୃଙ୍ଖଳା ସ୍ଥିତ ପାଲଟିଛି l ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଘଟିଛି ହତ୍ୟାକାଣ୍ଡ । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ସୂର୍ଯ୍ୟ। ପରିବାର ଲୋକେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ଶ୍ରୀ ସେତୁ ଜଳଭଣ୍ଡାରରେ ସୂର୍ଯ୍ୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ । କିଏ ଏବଂ କାହିଁକି ନାବାଳକକୁ ଏଭଳି ନିର୍ମମଭାବେ ହତ୍ୟା କରିଛି ସେନେଇ ଖୋଳତାଡ କରୁଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ। କାହା ସହ କୌଣସି କାରଣକୁ ନେଇ ଶତ୍ରୁତା ଥିଲା କି, ଯେଉଁଥି ପାଇଁ କେହି ରାଗ ରଖି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।
